ଯୁକ୍ତ୨ ପରୀକ୍ଷା: ଭୁଲ୍‌ ତଥ୍ୟ ଦେଲେ, ଖାତା ଦେଖା‌ହେବନି

ଆଜିଠାରୁ ପଠାଯିବ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର

ଭୁବନେଶ୍ବର : ଶାନ୍ତିଶୃଙ୍ଖଳାର ସହ ଚାଲିଛି ଯୁକ୍ତ୨ ପରୀକ୍ଷା। ଏପର୍ଯ୍ୟନ୍ତ କୌଣସି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ କିମ୍ବା ମୋବାଇଲ୍‌ ପ୍ରବେଶ ନେଇ ଅଭିଯୋଗ ଆସି ନାହିଁ। ଏପରିକି ଆଜି ଗଣିତ ବିଷୟର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କପି କରୁଥିବା ଅବସ୍ଥାରେ ଆଜି ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୧୪ ଜଣ ପରୀକ୍ଷାର୍ଥୀ ଧରାପଡ଼ିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ସଠିକ୍‌ ତଥ୍ୟ ଉଲ୍ଲେଖ କରୁ ନଥିବା ପରିଷଦ ନଜରକୁ ଆସିଛି। କିଏ ରୋଲ୍‌ ନମ୍ବର ଭୁଲ୍‌ ଲେଖୁଛନ୍ତି ତ ଆଉ କିଏ ବିଷୟ ଓ ପେପର୍‌କୁ ସଠିକ୍‌ ଭାବେ ଉଲ୍ଲେଖ କରୁନାହାନ୍ତି। ଏମିତିକି ଇନ୍‌ଭିଜିଲେଟର ବିନା ଯାଞ୍ଚରେ ଉତ୍ତର ଖାତାରେ ଦସ୍ତଖତ କରି ଦେଉଛନ୍ତି। ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ପରିଷଦ ପକ୍ଷରୁ ପରୀକ୍ଷାର୍ଥୀ ଓ ଇନ୍‌ଭିଜିଲେଟରଙ୍କ ପାଇଁ ନିର୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ପରୀକ୍ଷାର୍ଥୀ ସେମାନଙ୍କ ଉତ୍ତର ଖାତାରେ ରୋଲ୍‌ ନମ୍ବର, ରେଜିଷ୍ଟେସନ ନମ୍ବର, ବିଷୟ/ପେପର, କେଉଁ ସେଟ୍‌ର ପ୍ରଶ୍ନପତ୍ର ଆଦିକୁ ଉତ୍ତର ଖାତାର କଭର୍‌ ପୃଷ୍ଠାରେ ଲେଖିବେ। ଉତ୍ତର ଖାତାର ଆଉ କୌଣସି ବି ସ୍ଥାନରେ ନିଜର ‌ରୋଲ ନମ୍ବର କିମ୍ବା ଅନ୍ୟ କୌଣସି ତଥ୍ୟ ଲେଖିବେ ନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଭୁଲ୍‌ ରୋଲ୍‌ ନମ୍ବର ଲେଖୁଥିବେ, ତେବେ ତାହାକୁ ଅପରାଧ ବୋଲି ଧରାଯିବ। ଯେଉଁ ଉତ୍ତର ଖାତାରେ ସଠିକ୍‌ ସୂଚନା ଦିଆଯାଇ ନ ଥିବ ତାହାକୁ ମୂଲ୍ୟାୟନ କରାଯିବ ନାହିଁ। ଉତ୍ତର ଖାତା ପାଇବା କ୍ଷଣି ପରୀକ୍ଷାର୍ଥୀ ରୋଲ୍‌ ନମ୍ବର ଲେଖନ୍ତୁ। ଇନ୍‌ଭିଜିଲେଟରମାନେ ମଧ୍ୟ ଉତ୍ତର ଖାତାଗୁଡ଼ିକୁ ଭଲ ଭାବେ ଯାଞ୍ଚ କରନ୍ତୁ। ଯଦି କୌଣସି ଇନ୍‌ଭିଜିଲେଟର ନିଜ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।ଅନ୍ୟପକ୍ଷରେ ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା ପାଇଁ ୧୨ ତାରିଖଠାରୁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ୧୨ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିବ। କେଉଁ ହବ୍‌ ଓ ପରୀକ୍ଷା କେନ୍ଦ୍ର ପାଇଁ କେତେ ପ୍ରଶ୍ନପତ୍ରର ଆବଶ୍ୟକତା ରହିଛି ତାହାର ସବିଶେଷ ତଥ୍ୟ ୧୨ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର