+୨ ମୂଲ୍ୟାୟନ ବିଭ୍ରାଟ : ଖାତା ନ ଦେଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ମେଡିକାଲ ବୋର୍ଡରୁ ସାର୍ଟିଫିକେଟ୍‌ ଆଣିଲେ ଅସୁସ୍ଥତା ଜନିତ ଛୁଟି ମିଳିବ
ମେ ୨୦ରେ ପରୀକ୍ଷା ଫଳ ପ୍ରକାଶ ପାଇବ!

ଭୁବନେଶ୍ୱର : +୨ ପରୀକ୍ଷା ଖାତା ମୂଲ୍ୟାୟନ ଚାରି ଦିନ ହେଲା ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଅଧା ପରୀକ୍ଷକ ଯୋଗଦେଇନାହାନ୍ତି। ଯେଉଁ ଅଧ୍ୟାପକମାନେ ଖାତା ଦେଖିବାକୁ ଆସୁଛନ୍ତି ସେମାନଙ୍କୁ ବ୍ଲକ ଗ୍ରାଣ୍ଟ ଏବଂ ଆନ୍ଦୋଳନରତ ଅଧ୍ୟାପକମାନେ ଅଟକାଉଛନ୍ତି। ଏହାବାଦ୍‌ କେତେକ ଅଧ୍ୟାପକ ଅସୁସ୍ଥତା ଜନିତ କାରଣ ଦର୍ଶାଇ ମୂଲ୍ୟାୟନ ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି। ଏହିଭଳି ସ୍ଥିତିରେ +୨ ପରିଷଦ କର୍ତ୍ତୃପକ୍ଷଙ୍କୁ କିପରି ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ ଏବଂ ଫଳ ପ୍ରକାଶ କରିବେ ସେ ଚିନ୍ତା ଘାରିଲାଣି। ମେ ୨୦ରେ +୨ ପରୀକ୍ଷା ଫଳ ପ୍ରକାଶ କରିବାକୁ କର୍ତ୍ତୃପକ୍ଷ ଆପାତତଃ ନିଷ୍ପତ୍ତି ନେଇଥିବାରୁ ଠିକ୍‌ ସମୟରେ ସମସ୍ତ ପ୍ରକି୍ରୟା ଶେଷ କରିବା ପାଇଁ ପରିଷଦ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି। ଯେଉଁ ଅଧ୍ୟାପକମାନେ ଖାତା ମୂଲ୍ୟାୟନ କରିବାକୁ ଆସିବେନି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଆଜି +୨ ପରିଷଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଲେ ଯେ, ଚଳିତବର୍ଷ ୩,୬୫,୮୨୬ଜଣ +୨ ପରୀକ୍ଷା ଦେଇଥିବାବେଳେ ଖାତା ମୂଲ୍ୟାୟନ ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏଥିରୁ ୩୧ଟି ଇ-ମୂଲ୍ୟାୟନ କେନ୍ଦ୍ର। ଖାତା ମୂଲ୍ୟାୟନ ପାଇଁ ୫,୮୦୦ଜଣ ପରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ବିଭିନ୍ନ ସ୍ୱୟଂଶାସିତ ମହାବିଦ୍ୟାଳୟ, ଡିଗ୍ରି କଲେଜ୍‌, ଗ୍ରାଣ୍ଟ ଇନ୍‌ ଏଡ୍‌ କଲେଜ, ସରକାରୀ +୨ କଲେଜ, ଏକଲବ୍ୟ ମଡେଲ କଲେଜ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି। କୌଣସି ବ୍ଲକ ଗ୍ରାଣ୍ଟ କି ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ସାମିଲ୍‌ କରାଯାଇନି। କିନ୍ତୁ କେତେକ ସରକାରୀ କଲେଜର ଅଧ୍ୟାପକ ଅସୁସ୍ଥତା କାରଣ ଦର୍ଶାଇ ମୂଲ୍ୟାୟନରେ ସାମିଲ୍‌ ହୋଇନାହାନ୍ତି। ଯେଉଁମାନେ ଅସୁସ୍ଥତା କାରଣ ଦର୍ଶାଇଛନ୍ତି ସେମାନଙ୍କୁ ମେଡିକାଲ ବୋର୍ଡ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ। ମେଡିକାଲ ବୋର୍ଡ ଯଦି ତାଙ୍କୁ ଅନଫିଟ୍‌ ଘୋଷଣା କରିବ ତେବେ ସେମାନେ ମୂଲ୍ୟାୟନରୁ ଓହରି ପାରିବେ। ନଚେତ୍‌ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ କୁହାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ସରକାରୀ ଓ ଏଡେଡ୍‌ କଲେଜଗୁଡ଼ିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧୀନରେ ଯାଉଥିବାରୁ ସେ ଏହି ବର୍ଗର ଅଧ୍ୟାପକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ। +୨ କଲେଜର ଅଧ୍ୟାପକମାନେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧୀନରେ ଯାଉଥିବାରୁ ସେ ଏହି କଲେଜଗୁଡ଼ିକର ଅଧ୍ୟାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ।

ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରଥମରୁ ବିଭ୍ରାଟ ହେବାରୁ ଏଥର ଆଉ ବିଭିନ୍ନ ପର୍ଯ୍ୟାୟରେ ମୂଲ୍ୟାୟନ ହେବନି। ଏପ୍ରିଲ ୪ରୁ ଆରମ୍ଭ ହୋଇଥିବା ମୂଲ୍ୟାୟନ ଏପ୍ରିଲ ୨୮ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଯେଉଁ ବିଷୟର ଖାତା ଦେଖା ଯେବେ ସରିବ ସେତେଦିନ ପର୍ଯ୍ୟନ୍ତ ଦେଖା ହେବ। ମେ ୨୦ରେ ଫଳ ପ୍ରକାଶ କରିବାକୁ ହେଲେ ଏପ୍ରିଲ ୨୮ସୁଦ୍ଧା ମୂଲ୍ୟାୟନ ଶେଷ ହେବା ଆବଶ୍ୟକ। ଏଥିପାଇଁ ପରିଷଦ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅପରପକ୍ଷେ ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ର ବାହାରେ ପରୀକ୍ଷକଙ୍କୁ ଅଟକାଉଛନ୍ତି ବା କୌଣସି ଅପ୍ରୀତିକର କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଡେପୁଟି କଣ୍ଟ୍ରୋଲର ପ୍ରବୋଧ କୁମାର ପଣ୍ଡା, ଚିତ୍ତରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର