ଯୁକ୍ତ ୨ ଖାତାଦେଖା ବିଭ୍ରାଟ ପ୍ରସଙ୍ଗ : ଅଧ୍ୟାପକ ଓ ପରିଷଦ ମଧ୍ୟରେ ଘନେଇଲା ବିବାଦ

ଭୁବନେଶ୍ୱର : ଯୁକ୍ତ୨ ମୂଲ୍ୟାୟନକୁ ନେଇ ରାଜ୍ୟ ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇଲାଣି। ସମସ୍ତେ ଜିଦରେ ଅଟଳ ରହିଛନ୍ତି। କେହି ବି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି। ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଖାତା ଦେଖା ବର୍ଜନ କରିଥିବା ବେଳେ ଅଧିକାଂଶ ଅଧ୍ୟାପକ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ୭ ଦିନ ଭିତରେ ଅଧ୍ୟାପକଙ୍କୁ କାର୍ଯ୍ୟାନୁଷ୍ଠାନ ଧମକ, ଜେଲ୍‌ ପଠାଇବା, ନିଲମ୍ବନ କରାଯିବା ପରେ ଗତକାଲି ପରିଷଦ ସ୍ପଷ୍ଟୀକରଣ ରଖିଥିଲା ଯେ ଖାତାଦେଖା ସୁରୁଖୁରୁରେ ଚାଲିଛି। ଯାହାର ଆଜି କଡ଼ା ବିରୋଧ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ।

ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା ଏକ ହାତଲେଖା ଇସ୍ତାହାରରେ ଗତକାଲି କହିଥିଲେ ଯେ ଯୁକ୍ତ୨ ମୂଲ୍ୟାୟନ ସୁରୁଖୁରୁରେ ଚାଲିଛି। ଆନ୍ଦୋଳନରତ ବ୍ଲକଗ୍ର୍ରାଣ୍ଟ ଅଧ୍ୟାପକ/ ଅଧ୍ୟାପିକାଙ୍କୁ ମୂଲ୍ୟାୟନ କାର୍ଯ୍ୟରେ ନିଯୁକ୍ତି ଦିଆଯାଇ ନାହିଁ। ତେଣୁ ଖାତାଦେଖା କାର୍ଯ୍ୟରେ ଯୋଗଦେଇ ନ ଥିବା ଯୋଗୁଁ ଯେଉଁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଛି ତାହା କୌଣସି ବ୍ଲକଗ୍ରାଣ୍ଟ ଅଧ୍ୟାପକ/ଅଧ୍ୟାପିକାଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମିଥ୍ୟା ଅପପ୍ରଚାର କରୁଛନ୍ତି ଯେ ଯୁକ୍ତ୨ ପାଠପଢ଼ା ସହ ସମ୍ପୃକ୍ତ ନ ଥିବା ଶିକ୍ଷକଙ୍କ ଦ୍ୱାରା ମୂଲ୍ୟାୟନ କରାଯାଉଛି। କୋଚିଂ ସେଣ୍ଟର ଓ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଦ୍ୱାରା ଖାତା ମୂଲ୍ୟାୟନ ହେଉଥିବା ନେଇ ଗୁଜବ ପ୍ରଚାର ହେଉଛି। ପରିଷଦ ସ୍ପଷ୍ଟ କରୁଛି କି କେବଳ ଯୁକ୍ତ୨ ଓ ଡିଗ୍ରି ଶ୍ରେଣୀରେ ଅଧ୍ୟାପନା କରୁଥିବା ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକ/ଅଧ୍ୟାପିକାଙ୍କ ଦ୍ୱାରା ମୂଲ୍ୟାୟନ କରାଯାଉଛି। ଯେଉଁମାନଙ୍କର ଅଭିଜ୍ଞତା ରହିଛି, ସେମାନେ ଯୁକ୍ତ୨ ପାଠ୍ୟକ୍ରମ ଓ ପରୀକ୍ଷା ସହ ଜଡ଼ିତ ରହିଛନ୍ତି। ତେଣୁ ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଥ୍ୟା ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ଶ୍ରୀ ପଣ୍ଡା ଇସ୍ତାହାରରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷେ ମୂଲ୍ୟାୟନ ପ୍ରଭାବିତ ହେଉଥିବା ନେଇ ପରିଷଦ କର୍ତୃପକ୍ଷ ଗତକାଲି ଯେଉଁ ସ୍ପଷ୍ଟୀକରଣ ଦେଇଥିଲେ, ତାହା ମିଥ୍ୟା ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ପରିଷଦ ଭୋକ ବିକଳରେ ତାଟିଆ କାମୁଡ଼ୁଛି। ୬୦ ପ୍ରତିଶତ ବ୍ଳକ ଗ୍ରାଣ୍ଟ ଅଧ୍ୟାପକଙ୍କୁ ଖାତା ଦେଖିବା ଲାଗି ଡକାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ ହଜାର ୮୦୦ ଅଧ୍ୟାପକଙ୍କୁ ଡକାଯାଇଥିଲା, ସେଥିରେ ପ୍ରାୟ ୩ହଜାର ଅଧ୍ୟାପକ ରହିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଲାଗି ଗଣିତ, ବଟାନି ଓ ଜୁଲୋଜି ପରି ବିଷୟରେ ଖାତା ମୂଲ୍ୟାୟନ ଲାଗି ୨୦୦୦ରୁ ଅଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ଡକାଯାଇଛି। ଏହା ପରେ ବି କର୍ତୃପକ୍ଷ କିଭଳି କହୁଛନ୍ତି ଯେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ସାମିଲ କରାଯାଇନାହିଁ। ଯେଉଁ ଅଧିକାରୀ ଏଭଳି କହିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନେ ଆହୁରି ପ୍ରଶ୍ନ କରିଛନ୍ତି ଯେ ଯଦି ଖାତା ମୂଲ୍ୟାୟନ ବାଧାପ୍ରାପ୍ତ ହୋଇନି ତେବେ ଯେଉଁ ଅଧ୍ୟାପକ ଖାତା ଦେଖୁନାହାନ୍ତି ସେମାନଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଉଛି। ଅଧ୍ୟାପକମାନଙ୍କ୍‌ୁ ପ୍ରତିଦିନ କାହିଁକି କାରଣଦର୍ଶାଅ ନୋଟିସ୍‌ ଜାରି ହେଉଛି। ଏହା କରିବା ପଛର କାରଣ କ’ଣ? ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରେଭେନ୍ସା ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଯେଉଁ ଅଧ୍ୟାପକଙ୍କୁ ଖାତା ଦେଖାରେ ସାମିଲ କରାଯାଇଛି ସେମାନେ କେଉଁଠି ପଢ଼ାଉଛନ୍ତି ବୋଲି ପ୍ରଶ୍ନ କରିଛି ମିଳିତ ମଞ୍ଚ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ମଧ୍ୟ ଗତକାଲି ଯୁକ୍ତ୨ ମୂଲ୍ୟାୟନ ନେଇ ଗଣମାଧ୍ୟମରେ ମତ ରଖି କହିଥିଲେ ଯେ ସବୁ କିଛି ଠିକ୍‌ ଠାକ୍‌ ଚାଲିଛି। ମୂଲ୍ୟାୟନରେ କୌଣସି ପ୍ରକାର ଅସୁବିଧା ହୋଇନି। ନିର୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ୟସ୍ତ ହୁଅନ୍ତୁ ନାହିଁ। ଏପ୍ରିଲ ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର