ଏପ୍ରିଲ ୪ରୁ ଯୁକ୍ତ୨ ଖାତାଦେଖା

ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
ସାମିଲ ହେବେ ୧୪ ହଜାର ଅଧ୍ୟାପକ
ସାମିଲ ହେବେନି ବ୍ଲକଗ୍ରାଣ୍ଟ ଅଧ୍ୟାପକ
ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ମାର୍ଚ୍ଚ ୨୯ରେ ଯୁକ୍ତ୨ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ମୂଲ୍ୟାୟନ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏପ୍ରିଲ ୪ ତାରିଖରୁ ଆରମ୍ଭ ହେବ ଯୁକ୍ତ୨ ଖାତା ମୂଲ୍ୟାୟନ। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ଏକାଥରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଉତ୍ତର ଖାତାର ଇ-ମୂଲ୍ୟାୟନ ଏବଂ କଳା ବିଭାଗ ବିଷୟଗୁଡ଼ିକର ମାନୁଆଲ୍‌ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୪ରୁ ୧୪ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବ। ଏପ୍ରିଲ ମାସ ମଧ୍ୟରେ ଖାତା ମୂଲ୍ୟାୟନ ଶେଷ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଏକ ଲକ୍ଷ ୨୩ ହଜାର ପରୀକ୍ଷାର୍ଥୀଙ୍କର ସାଢ଼େ ୭ ଲକ୍ଷ ଖାତାର ଇ-ମୂଲ୍ୟାୟନ ହେବ। ଏଥିପାଇଁ ୨୯ଟି ମୂଲ୍ୟାୟନ କେନ୍ଦ୍ର କରାଯିବ। କଳା ବିଭାଗର ୨ ଲକ୍ଷ ୩୩ ହଜାର ପରୀକ୍ଷାର୍ଥୀଙ୍କର ପ୍ରାୟ ୧୪ ଲକ୍ଷ ଉତ୍ତର ଖାତାର ମାନୁଆଲ ମୂଲ୍ୟାୟନ ୫୬ଟି କେନ୍ଦ୍ରରେ କରାଯିବ। ମାନୁଆଲ କେନ୍ଦ୍ର ଅଧୀନରେ ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ରହିବ। ଗତବର୍ଷ ତୁଳନାରେ ଏଥରକ ଇ-ମୂଲ୍ୟାୟନ କେନ୍ଦ୍ରକୁ ହ୍ରାସ କରି ଦିଆଯାଇଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତାଗୁଡ଼ିକୁ ସିଧାସଳଖ ସ୍କାନିଂ କରାଯାଇ ସେଗୁଡ଼ିକୁ ମୂଲ୍ୟାୟନ କେନ୍ଦ୍ରକୁ ପଠାଇ ଦିଆଯାଉଛି।
ଉଭୟ ମାନୁଆଲ ଓ ଇ-ମୂଲ୍ୟାୟନର ପ୍ରଥମ ଦିନରେ ଅଧ୍ୟାପକଙ୍କୁ ତାଲିମ ଦିଆଯିବ। ମୂଲ୍ୟାୟନକାରୀଙ୍କୁ ପ୍ରଥମ ଦିନ ୫ଟି ଖାତା ଦେଖିବାକୁ ଦିଆଯିବ। ପରବର୍ତୀ ଦିନଗୁଡ଼ିକରେ ସେମାନେ ସର୍ବନିମ୍ନ ୧୫ଟି ଲେଖାଏ ଖାତା ଦେଖିବେ। ୯ ଜଣ ମୂଲ୍ୟାୟନକାରୀଙ୍କୁ ନେଇ ଗୋଟିଏ ଲେଖାଏ ଡେକ୍ସ ହେବ। ପ୍ରତି ଡେକ୍ସରେ ଜଣେ ଲେଖାଏ ମୁଖ୍ୟ ମୂଲ୍ୟାୟନକାରୀ ରହିବେ। ସେମାନେ ମୂଲ୍ୟାୟନର ତଦାରଖ କରିବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ। ଖାତା ମୂଲ୍ୟାୟନରେ ୧୪ ହଜାର ଅଧ୍ୟାପକ ସାମିଲ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଫ୍ୟାନ୍‌, ଏସି ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏପ୍ରିଲ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ୧୫ ସୁଦ୍ଧା ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଓ ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ଅନ୍ୟ ବିଭାଗଗୁଡ଼ିକର ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ମାଟ୍ରିକ୍‌ ପରେ ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ଲକଗ୍ରାଣ୍ଟ ଅଧ୍ୟାପକ। ମୂଲ୍ୟାୟନରେ ଭାଗନେବେ ନାହିଁ ବୋଲି ଆଜି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ୪୮୮ ଓ ୬୬୨ ବର୍ଗ କଲେଜର ଅଧ୍ୟାପକମାନେ ଖାତା ଦେଖିବେ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଧମକ ଦେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର କହିଛନ୍ତି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଉଚ୍ଚଶିକ୍ଷା ବିଭାଗର ସହାୟତା ନିଆଯିବ। ମାଟ୍ରିକ୍‌ ପରି ଯୁକ୍ତ୨ରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ମୂଲ୍ୟାୟନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର