ଏପ୍ରିଲ ୪ରୁ +୨ ମୂଲ୍ୟାୟନ ଆରମ୍ଭ : ୭ହଜାର ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ

ଭୁବନେଶ୍ୱର : ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ବିଭିନ୍ନ ଦାବି ନେଇ +୨ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାରୁ ଓହରି ଯାଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ପାଇଁ ବିକଳ୍ପ ବ୍ୟବସ୍ଥା କରିଛି। ଆସନ୍ତା ଏପ୍ରିଲ ୪ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ୭ହଜାରରୁ ଅଧିକ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହୋଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ବିଭିନ୍ନ ସ୍ୱୟଂଶାସିତ ମହାବିଦ୍ୟାଳୟ, ଡିଗ୍ରି କଲେଜ୍‌, ଗ୍ରାଣ୍ଟ ଇନ୍‌ ଏଡ୍‌ କଲେଜ, ସରକାରୀ +୨ କଲେଜ, ଏକଲବ୍ୟ ମଡେଲ କଲେଜ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅଧ୍ୟାପକମାନଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକାକୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଅଧ୍ୟାପକମାନଙ୍କୁ ଆସନ୍ତା ୩ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିବାକୁ କୁହାଯାଇଛି।

ଅପରପକ୍ଷେ ଆସନ୍ତାକାଲି ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମହାସମାବେଶ ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ ଓ ଅଧ୍ୟାପକମାନେ ଯୋଗଦେବେ। ଆନ୍ଦୋଳନକୁ ଟାଳିବା ପାଇଁ ଆଜି ସନ୍ଧ୍ୟାରେ ମିଳିତ ମଞ୍ଚର କର୍ମକର୍ତ୍ତାଙ୍କ ସହ ସରକାରଙ୍କ ଆଲୋଚନା ହୋଇଥିଲା। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମିଳିତ ମଞ୍ଚର ୧୨ ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଆଲୋଚନାରେ ପ୍ରତିନିଧି ଦଳ ସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ସମସ୍ୟାର ସମାଧାନ ନେଇ ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଆସନ୍ତାକାଲି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମହାସମାବେଶ ହେବ ଓ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସରକାର ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନରୁ ଓହରିବେ।

ସମ୍ବନ୍ଧିତ ଖବର