ଭୁବନେଶ୍ୱର : ଯୁକ୍ତ୨ ମୂଲ୍ୟାୟନକୁ ନେଇ ଅଧ୍ୟାପକ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ବାଦ୍ ଦେଇ ବିକଳ୍ପ ବ୍ୟବସ୍ଥା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ବିଭିନ୍ନ ବିଷୟ ଉତ୍ତର ଖାତାଗୁଡ଼ିକର ମାନୁଆଲ ଓ ଇ-ମୂଲ୍ୟାୟନ କରାଯାଇଛି। ଗତ ୭ ଦିନ ମଧ୍ୟରେ ସମସ୍ତ କେନ୍ଦ୍ରରେ ଅଧ୍ୟାପକଙ୍କ ଉପସ୍ଥାନ ବୃଦ୍ଧି ପାଇଥିବାରୁ ଖାତାଦେଖା ସୁରୁଖୁରୁରେ ଚାଲିଛି। ଇ-ମୂଲ୍ୟାୟନ ପାଇଁ ଡକାଯାଇଥିବା ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦୁଇଟି ସିଟିଂରେ ଖାତା ଦେଖା କରାଯାଉଛି। ସକାଳ ୭ଟା ୩୦ରୁ ଅପରାହ୍ଣ ଗୋଟିଏ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ଣ ୧ଟା ୩୦ରୁ ରାତି ୭ଟା ଯାଏ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେଉଛି। ସମସ୍ତ ୨୯ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଦୁଇଟି ସିଟିଂରେ ଖାତାଦେଖା ଚାଲିଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଯେଉଁ କିଛି ଖାତା ମୂଲ୍ୟାୟନ ହୋଇପାରିନି ତାହା ଆସନ୍ତା ୧୮ ତାରିଖ ସୁଦ୍ଧା ଶେଷ କରାଯିବ। ବିଜ୍ଞାନ ବିଭାଗର ପରୀକ୍ଷା ଫଳ ଆଗୁଆ ପ୍ରକାଶ ପାଇବାକୁ ଥିବାରୁ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ଦୁଇଟି ସିଟିଂରେ ଖାତା ଦେଖା କରାଯାଉଛି। ଅଧ୍ୟାପକମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେଣୁ ନିର୍ଧାରିତ ସମୟରେ ଫଳ ପ୍ରକାଶ ପାଇବ।
ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଏବେ ମହାସଂଘର୍ଷ ସମାବେଶ ଲାଗି ଯୋଜନା ପ୍ରସ୍ତୁତ କରିଛି। ଛାତ୍ର ସଙ୍ଗଠନଗୁଡ଼ିକ ଅଧ୍ୟାପକଙ୍କ ଆନ୍ଦୋଳନକୁ ସମର୍ଥନ ଦେବା ପରେ ଆଜି ଗଠନ ହୋଇଛି ଛାତ୍ର ଶିକ୍ଷକ ଅଭିଭାବକ ସମନ୍ଵୟ ସମିତି। ଭୁବନେଶ୍ୱରରେ ବସିଥିବା ଏକ ବୈଠକରେ ମିଳିତ ମଞ୍ଚର ସଦସ୍ୟଙ୍କ ସମେତ ଏଆଇଡିଏସ୍ଓ, ଏସ୍ଏଫ୍ଆଇ, ଛାତ୍ର କଂଗ୍ରେସ, ଏବିଭିପି ଓ ଏଆଇଏସ୍ଏଫ୍ ପରି ଛାତ୍ର ସଙ୍ଗଠନର ନେତାମାନେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର ନିଜ ଜିଦରୁ ଓହରି ବିନା ସର୍ତରେ ୨୦୧୭ ଅନୁଦାନ ଆଇନକୁ ବାତିଲ୍ କରି ପ୍ରଚଳିତ ପୂର୍ଣ୍ଣ ଅନୁଦାନ ବ୍ୟବସ୍ଥା ଲାଗୁ କରିବା ସହ ଅନୁଦାନଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ନ ଦେଲେ ଆସନ୍ତା ୧୮ ତାରିଖରେ ମହାସଂଘର୍ଷ ସମାବେଶ ଅନୁଷ୍ଠିତ ହେବ। ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ, ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନ୍ରୁ ବାହାରି ବିଧାନସଭା ଅଭିମୁଖେ ଯିବେ। ଲୋୟର ପିଏମ୍ଜିରେ ସମାବେଶ କରାଯିବ। ଦରକାର ପଡ଼ିଲେ ସ୍କୁଲ କଲେଜ ବନ୍ଦ କରି ଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର ହୋଇଛି। ଖାତା ମୂଲ୍ୟାୟନ ତାଲିକାରେ ସାମିଲ ହୋଇଥିବା ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ନାମ ତାଲିକାରୁ କାଟିବାକୁ ମିଳିତ ମଞ୍ଚ ପକ୍ଷରୁ ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକଙ୍କ ନିକଟରେ ଦାବି କରାଯାଇଛି। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା ଓ ଗୋଲକ ନାୟକ କହିଛନ୍ତି ଯେ ଓଡ଼ିଶାର କଳଙ୍କିତ ବ୍ଲକଗ୍ରାଣ୍ଟ ପ୍ରଥାର ଉଚ୍ଛେଦ ପାଇଁ ୨୦ ବର୍ଷ ହେଲା ଚାଲିଥିବା ଆନ୍ଦୋଳନ ଉଗ୍ରରୂପ ନେଇଛି। ଓଡ଼ିଶାର ୮୦ ଭାଗ ଶିକ୍ଷାର ଦାୟିତ୍ୱ ବହନ କରୁଥିବା ସ୍କୁଲ କଲେଜକୁ ଦରମା ନ ଦେଇ ଛଳନାପୂର୍ଣ୍ଣ ବ୍ୟବହାର କରାଯାଉଛି। ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ଗଢ଼ିଉଠିଛି। ମାଟ୍ରିକ ପରି ଯୁକ୍ତ୨ ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଛି। କୌଣସି ବି ପରିସ୍ଥିତିରେ ଆମେ ପଛଘୁଞ୍ଚା ଦେବୁନୁ। ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/eve.jpg)