ଜୁଲାଇ ୯ରୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା : ୨୦ରୁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ

ଏମ୍‌ପି ପରୀକ୍ଷାର୍ଥୀଙ୍କୁ ପକ୍ଷ ରଖିବାକୁ ସୁଯୋଗ

ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଛାତ୍ରଛାତ୍ରୀ ଜୁନ୍‌ ୨୦ରୁ ୨୫ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ୨୬ ତାରିଖ ପର୍ଯ୍ୟନ୍ତ ଫି’ ଦାଖଲ କରିହେବ। ଜୁନ୍‌ ୨୯ ତାରିଖ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜୋନ୍‌ କାର୍ଯ୍ୟାଳୟଗୁଡ଼ିକ ମୁଖ୍ୟ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିବାକୁ କୁହାଯାଇଛି।

ଜୁଲାଇ ୯ ତାରିଖ ପୂର୍ବାହ୍ନରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ସମସ୍ତ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହ ବାୟୋଲୋଜି ରେଗୁଲାର, ବଟାନି ବିଷୟର ଏକ୍ସ-ରେଗୁଲାର, ଅନ୍ୟାନ୍ୟ ଏମ୍‌ଆଇଏଲ୍‌, ଧନ୍ଦାମୂଳକ ଟ୍ରେଡ୍‌ ପେପର୍‌-୧ ଓ ୨ ବିଷୟ ପରୀକ୍ଷା କରାଯିବ। ଜୁନ୍‌ ୧୦ ତାରିଖ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କେବଳ ଜୁଲୋଜି ବିଷୟର ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଜୁଲାଇ ୧୧ରେ ଜୁଲୋଜି ବିଷୟର ରେଗୁଲାର ଓ ଏକ୍ସ-ରେଗୁଲାର ଓ ଧନ୍ଦାମୂଳକ ଟ୍ରେଡ୍‌ ପେପର୍‌-୨ ବ୍ୟତୀତ ଅନ୍ୟ ସମସ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଜୁନ୍‌ ୧୨ରେ ଜୁଲୋଜି ବିଷୟର ରେଗୁଲାର ଓ ଏକ୍ସ-ରେଗୁଲାର ଏବଂ ଧନ୍ଦାମୂଳକ ଟ୍ରେଡ୍‌ ପେପର୍‌-୨ର ପ୍ରାକ୍ଟିକାଲ ପରୀକ୍ଷା ହେବ।

ଯେଉଁ ପରୀକ୍ଷାର୍ଥୀ ଗୋଟିଏ ବିଷୟର ପ୍ରାକ୍ଟିକାଲରେ ପାସ୍‌ ଓ ଥିଓରିରେ ଫେଲ୍‌ ହୋଇଥିବେ ସେମାନଙ୍କୁ ଆଉ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। କେବଳ ଥିଓରି ବିଷୟରେ ହିଁ ପରୀକ୍ଷା ଦେବେ। ଗୋଟିଏ ବିଷୟର ଥିଓରି ଓ ପ୍ରାକ୍ଟିକାଲରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଭୟ ଦେବାକୁ ପଡ଼ିବ। ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବା ପାଇଁ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ/ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି।

ପରୀକ୍ଷା ପାଇଁ ଫି’ ମଧ୍ୟ ଧାର୍ଯ୍ୟ ହୋଇଛି। ପ୍ରାକ୍ଟିକାଲ ନ ଥିବା ବିଷୟର ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଫି’ ଦେବାକୁ ପଡ଼ିବ। ବାୟୋଲୋଜି ବ୍ୟତୀତ ଅନ୍ୟ ବିଷୟର ପ୍ରାକ୍ଟିକାଲ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ୫୪୦ ଓ ବାୟୋଲୋଜି ବିଷୟ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ୫୬୦ ଟଙ୍କା ଫି’ ରଖାଯାଇଛି। ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍‌ର ଜେରକ୍ସ ସହ ଗୋଟିଏ ପାସ୍‌ପୋର୍ଟ ଫଟୋ ଦାଖଲ କରିବାକୁ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ େଓ୍ଵବସାଇଟ୍‌ରୁ ଛାତ୍ରଛାତ୍ରୀ ଅଧିକ ତଥ୍ୟ ଜାଣିପାରିବେ।

ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ କପି କରି ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ। ସେମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ସେମାନଙ୍କ ମତ ରଖିପାରିବେ। ଜୁନ୍‌ ୨୭ ମଧ୍ୟରେ ସେମାନଙ୍କ ପକ୍ଷ ରଖିବେ। ନିର୍ଧାରିତ ସମୟ ମଧ୍ୟରେ ଯଦି ସେମାନେ ପକ୍ଷ ରଖିବାରେ ବିଫଳ ହୁଅନ୍ତି ତେବେ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଡକ୍ୟୁମେଣ୍ଟ ପରିଷଦ ନିକଟରେ ପହଞ୍ଚିଛି ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ପରିଷଦ େଓ୍ଵବସାଇଟ୍‌ରେ ଏକ ବିଷୟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର