ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ପ୍ରସ୍ତୁତି : ବ୍ୟବହାର କରିହେବ ଗତବର୍ଷର ଉତ୍ତର ଖାତା

ଛୁଟିଦିନରେ ପ୍ରଶ୍ନପତ୍ର, ଉତ୍ତର ଖାତା ସଂଗ୍ରହ କରିବାକୁ ନିର୍ଦେଶ

ଭୁବନେଶ୍ବର : ଆସନ୍ତା ୨୮ ତାରିଖରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ପରୀକ୍ଷାକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏହାପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷାର ସୁପରିଚାଳନା, ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ ପରି ବିଭିନ୍ନ ଦିଗ ଉପରେ ଗୁରୁତ୍ବାରୋପ କରାଯାଇଛି। ୨୦୧୮ ପ୍ରାକ୍ଟିକାଲ ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକୁ ପଠାଯାଇଥିବା ଉତ୍ତର ଖାତାଗୁଡ଼ିକୁ ଏଥର ବ୍ୟବହାର କରିହେବ। ଏନେଇ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଯଦି କଲେଜରେ ୨୦୧୮ ମସିହା ପୂର୍ବର ଉତ୍ତର ଖାତା ବଳକା ରହିଥିବ ତେବେ ତାହାକୁ ପ୍ରାକ୍ଟିକାଲ ପରୀକ୍ଷା ସମୟରେ ବ୍ୟବହାର କରିବେ ନାହିଁ। ଯଦି ଉତ୍ତର ଖାତା ଆବଶ୍ୟକତା ପଡ଼ିବ ତେବେ ନିକଟସ୍ଥ ଜୋନ୍‌ କାର୍ଯ୍ୟାଳୟରୁ ସଂଗ୍ରହ କରିବାକୁ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା ହେବାକୁ ଥିବା ସମସ୍ତ କଲେଜଗୁଡ଼ିକୁ ଆଜି ଆଡମିଟ୍‌ କାର୍ଡ ପଠାଯାଇଛି। ଛାତ୍ରଛାତ୍ରୀ ଶୁକ୍ରବାରଠାରୁ କଲେଜରୁ ଆଡମିଟ୍‌ କାର୍ଡ ଗ୍ରହଣ କରିପାରିବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଜି ସନ୍ଧ୍ୟାରେ କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଛି। ସ୍ବତନ୍ତ୍ର ଅଧିକାରୀଙ୍କ ହାତରେ ପ୍ରଶ୍ନପତ୍ର, ଉତ୍ତର ଖାତା ଆଦି ପଠାଯାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ପ୍ରଶ୍ନପତ୍ର ଓ ଉତ୍ତର ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି। ପରୀକ୍ଷା ନିୟନ୍ତ୍ରକ ଶ୍ରୀ ସାହୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଲେଖିଥିବା ଚିଠିରେ କହିଛନ୍ତି ଯେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେକୌଣସି ସମୟରେ କଲେଜଗୁଡ଼ିକରେ ପହଞ୍ଚିବ। ଉପାନ୍ତ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ କଲେଜ ସମୟ ପରେ ତଥା ଛୁଟି ଦିନରେ ବି ପ୍ରଶ୍ନପତ୍ର ପହଞ୍ଚିବାର ସମ୍ଭାବନା ରହିଛି। ବିଶେଷକରି ଜାନୁଆରି ୨୬ ଓ ରବିବାର ଛୁଟି ଦିନ ପଡ଼ୁଥିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ କେନ୍ଦ୍ରର ଅଧିକାରୀମାନେ ସଜାଗ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ଚଳିତବର୍ଷ ମୋଟ ୩ ଲକ୍ଷ ୬୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୪ ହଜାର, ବିଜ୍ଞାନରେ ୯୯ ହଜାର, ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ପ୍ରାୟ ୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ‌୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର