ଯୁକ୍ତ୨ ବିଜ୍ଞାନ ରେଜଲ୍ଟରେ ସରକାରୀ କଲେଜ ପଛରେ : ସମୀକ୍ଷା କରିବାକୁ ପଛଘୁଞ୍ଚା କାହିଁକି?

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ। ଗତବର୍ଷ ତୁଳନାରେ ଏଥର ପାସ୍‌ହାର ୪.୧୩ ପ୍ରତିଶତ କମିଛି। କିନ୍ତୁ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ୨୦୧୭ରେ ୧୯,୦୮୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ଏଥର ତାହା ୧୯,୫୬୧କୁ ବଢ଼ିଛି। ତୃତୀୟ ଶ୍ରେଣୀରେ ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୭,୫୯୭ରୁ ବୃଦ୍ଧି ପାଇ ୨୮,୯୬୮ରେ ପହଞ୍ଚିଛି। କିନ୍ତୁ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି।

୨୦୧୬ରେ ଯୁକ୍ତ୨ ପାଠ୍ୟକ୍ରମକୁ ସିବିଏସ୍‌ଇ ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିଲା। ସେହି ଅନୁଯାୟୀ ପ୍ରଶ୍ନପତ୍ର ବି ହୋଇଥିଲା। ତା’ ପରେ ବି ପାସ୍‌ହାର କମିବା ପଛର କାରଣ ନେଇ କାହାର ବି ନିଘା ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଗତକାଲି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ଅବସରରେ କହିଥିଲେ ଯେ ପାସ୍‌ହାର ଯେତିକି ହେବା କଥା ହୋଇଛି। ସେଭଳି କିଛି ପରିବର୍ତନ ହୋଇନାହିଁ। ପରୀକ୍ଷାର୍ଥୀ ଖାତାରେ ଯେଉଁଭଳି ଉତ୍ତର ଲେଖିଥିଲେ, ସେଭଳି ମାର୍କ ମିଳିଛି। କୌଣସି ତ୍ରୁଟି ହୋଇନାହିଁ। ପରୀକ୍ଷା ପରିଚାଳନା ଓ ଉତ୍ତର ଖାତା ମୂଲ୍ୟାୟନରେ ବି ତ୍ରୁଟି ହୋଇନି। କପି ରୋକିବା ଦିଗରେ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ତେଣୁ ପାସ୍‌ହାର କମିଛି ବୋଲି ସେ କହିଥିଲେ।

ସରକାରୀ କଲେଜଗୁଡ଼ିକର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ସେ କୌଣସି ମତ ରଖିନଥିଲେ। ବରଂ ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଯୁକ୍ତ୨ ପାଠ୍ୟକ୍ରମର ଢାଞ୍ଚା ପରିବର୍ତନ କରାଯାଉଛି। ଯୁକ୍ତ୨ କଲେଜଗୁଡ଼ିକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତନ କରାଯାଇ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଖାଲିଥିବା ପଦ ପୂରଣ ହେବ ବୋଲି ସେ କହିଥିଲେ। ‘ଶୂନ’ ରେଜଲ୍ଟ କରିଥିବା କଲେଜ ନ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ମଧ୍ୟ ସରକାରୀ କଲେଜର ପରୀକ୍ଷା ଫଳ ସମ୍ପର୍କରେ ସମୀକ୍ଷା କରିବା ନେଇ କିଛି ବି ମତ ଦେଇ ନ ଥିଲେ।

ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହାର ସୁଫଳ ଏଥର ବି ଦେଖିବାକୁ ମିଳିନି। ଶ୍ରେଷ୍ଠ ହେବା ତ ଦୂରର କଥା, ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ଉନ୍ନତି ଆସିପାରିନି। ସେହି ତୁଳନାରେ ଘରୋଇ କଲେଜଗୁଡ଼ିକ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସରକାରୀ କଲେଜର ମାତ୍ର ୭ ଜଣ ରହିଛନ୍ତି। ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ବୋଲି ଜଣାପଡ଼ିଛି। ସରକାରୀ କଲେଜ ପିଲାମାନେ କାହିଁକି ପଛରେ ପଡ଼ୁଛନ୍ତି, ତାହାକୁ ନେଇ ସମୀକ୍ଷାର ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍‌ମାନେ ମତ ଦେଇଛନ୍ତି।

୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ତାଲିକାରେ ବି ଘରୋଇ କଲେଜଗୁଡ଼ିକ ଆଗରେ ରହିଛନ୍ତି। ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର, ଗଞ୍ଜାମ, ଜଗତ୍‌ସିଂହପୁର ପରି ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ସେହି ତୁଳନାରେ ଦେଖିଲେ ପଶ୍ଚିମ ଓଡ଼ିଶାରେ ଥିବା ଯୁକ୍ତ୨ କଲେଜଗୁଡ଼ିକ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ପୁଣିଥରେ ବାଜି ମାରିଛନ୍ତି। ଏଥର ବି ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ଅଧିକ। ୧,୫୭୦ ଜଣ ପରୀକ୍ଷାର୍ଥୀ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ଏଥିରେ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହେବ ବୋଲି ସୂଚନା ମିଳିଛି। ବିଗତ ୪ ବର୍ଷ ପରି ଏଥର ମଧ୍ୟ ଘରୋଇ କଲେଜଗୁଡ଼ିକ ପୁଣିଥରେ ସଫଳତା ପାଇଛନ୍ତି। ଶତପ୍ରତିଶତ ଫଳ କରିଥିବା ୪୮ଟି କଲେଜ ମଧ୍ୟରେ ଗୋଟିଏ ବି ହେଲେ ସରକାରୀ କଲେଜ ନାହାନ୍ତି। ଏହି ତାଲିକାରେ ଘରୋଇ କଲେଜ ସଂଖ୍ୟା ଅଧିକ। କେତେକ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ମଧ୍ୟ ଶତପ୍ରତିଶତ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର