‘ଫନି’ରେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ, ବିଳମ୍ବ ହେବ ଯୁକ୍ତ୨ ରେଜଲ୍ଟ

ଗୋଟିଏ ପ‌ରେ ଗୋଟିଏ ପରୀକ୍ଷା ବାତିଲ୍‌, ସ୍ବାଭାବିକ ହେଉନି ସ୍ଥିତି, ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ବର : ‘ଫନି’ ମାଡ଼ରେ ରାଜ୍ୟର ୧୧ଟି ଜିଲ୍ଲା ପ୍ରଭାବିତ ହୋଇଛି। ପୁରୀ ଓ ଖୋର୍ଧାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ରାଜଧାନୀ ତଥା ଶିକ୍ଷା ହବ୍‌ ଭୁବନେଶ୍ବରର ମେରୁଦଣ୍ଡ ଭାଙ୍ଗିଯାଇଛି। ୬ ଦିନ ହେଲା ବିଦ୍ୟୁତ୍‌ ଯୋଗାଣ ସମ୍ଭବପର ହୋଇନି। ପାଣି ସମସ୍ୟା ସାଙ୍ଗକୁ ଇଣ୍ଟରନେଟ୍‌ ସମସ୍ୟା ସୃଷ୍ଟି ହୋଇଛି। ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି। ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ମାସ‌ରେ ମୁଖ୍ୟତଃ ପ୍ରମୁଖ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହୋଇଥା‌ଏ। ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଥାଏ। ତେବେ ବାତ୍ୟା ପ୍ରଭାବରେ ସବୁ କିଛି ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇନି। ସେପଟେ ଗୋଟିଏ ପରେ ଗୋଟିଏ ପରୀକ୍ଷା ବି ବାତିଲ୍‌ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ପ୍ରତିବର୍ଷ ମେ’ ମାସ ଶେଷ ସପ୍ତାହରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଉଥିଲା। ତେବେ ଚଳିତବର୍ଷ ନିର୍ଧାରିତ ସମୟର ବହୁ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେଣୁ ଉକ୍ତ ବୋର୍ଡର ଛାତ୍ରଛାତ୍ରୀ ଏବେ ନିଜର ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଓଡ଼ିଶାର ଛାତ୍ରଛାତ୍ରୀ ପଛରେ ପଡ଼ିଯାଇଛନ୍ତି। ଗତ ଦୁଇ ବର୍ଷ ହେଲା ଏପ୍ରିଲ ମାସରେ ପ୍ରକାଶ ପାଉଥିବା ମାଟ୍ରିକ୍‌ ପରୀକ୍ଷା ଫଳ ଏପର୍ଯ୍ୟନ୍ତ ବାହାରିନି। ପ୍ରଥମେ ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା। ତେବେ ବାତ୍ୟା ଯୋଗୁଁ ଏବେ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ପରିଷଦ କର୍ତୃପକ୍ଷ ସୂଚନା‌ ଦେଇଛନ୍ତି।

ସେହିପରି ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଉତ୍ତର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବା ପରେ ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବିଜ୍ଞାନ ବିଭାଗ ରେଜଲ୍ଟ ପ୍ରକାଶ ପାଉଥିଲା। ଏଥର ସମସ୍ୟା ସୃଷ୍ଟି ହୋଇଛି। ଯେଉଁ ସମୟରେ ରେଜଲ୍ଟ ପ୍ରକାଶ ପାଇବା କଥା ‌ସେତେବେଳେ ଖାତା ଦେଖା ଚାଲିଛି। କେବ‌େ ସରିବ ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ କହିପାରୁ ନାହାନ୍ତି। ତଥାପି ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ସବୁ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ନିର୍ବାଚନ ଯୋଗୁଁ କିଛି ଦିନ ବିଳମ୍ବ ହୋଇଥିଲା। ଏବେ ବାତ୍ୟା ଯୋଗୁଁ କିଛି ଜିଲ୍ଲାରେ ମୂଲ୍ୟାୟନ ସ୍ବାଭାବିକ ହୋଇପାରିନି। ତେଣୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ, ବିପିୟୁଟି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ବାତିଲ ହୋଇଛି। ନିଟ୍‌ ପ୍ରବେଶିକା ପରୀକ୍ଷା ମେ’ ୨୦କୁ ଘୁଞ୍ଚିଛି। ଏବେ ମେ’ ୧୨ ଓ ୧୩ ତାରିଖରେ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ବି ବାତିଲ୍‌ କରାଯାଇଛି। ୧୨ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ପରୀକ୍ଷାର୍ଥୀଙ୍କ ରେଲ୍‌ ନମ୍ବର, ପରୀକ୍ଷା କେନ୍ଦ୍ର, ସିଟିଂ ଓ ସମୟ ଆଦି ଅପରିବର୍ତ୍ତିତ ରହିଛି। ନୂଆ ଆଡମିଟ୍‌ କାର୍ଡ ଦିଆଯିବ ନାହିଁ। ୧୩ ତାରିଖରେ ହେବାକୁ ଥିବା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) କେବେ ‌ହେବ ସେନେଇ ପରବର୍ତୀ ସମୟରେ ‘www.ojee.nic.in’ ରେ ସୂଚନା ଦିଆଯିବ। ପରୀକ୍ଷାର୍ଥୀଙ୍କୁ ମୋବାଇଲ୍‌ ମେସେଜ୍‌, ଇ-ମେଲ୍‌ ଜରିଆରେ ସୂଚନା ଦିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର