ଯୁକ୍ତ୩ ନାମଲେଖା ପାଇଁ ଆଜି ସରିବ ଆବେଦନ: ନୂଆଁଖାଇ ପାଇଁ ଘୁଞ୍ଚିଲା ନାମଲେଖା ଅବଧି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ସମୟ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଆଲଟ୍‌ କଲେଜରେ ରିପୋର୍ଟିଂ ଓ ନାମଲେଖା ପାଇଁ ସେପ୍ଟେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ୧୧ ତାରିଖରେ ନୂଆଁଖାଇ ଛୁଟି ଓ ୧୨ ତାରିଖରେ ରବିବାର ପଡ଼ୁଛି। ତାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ଅବଧିକୁ ଘୁଞ୍ଚାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ରୁ ୧୬ ତାରିଖ ମଧ୍ୟରେ ଧାର୍ଯ୍ୟ କଲେଜରେ ନାମ ଲେଖାଇପାରିବେ ବୋଲି ଆଜି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଯୁକ୍ତ୩ କଲେଜରେ ନାମଲେଖା ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା ଶନିବାର ଶେଷ ହେବ। ଯେଉଁ ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି ସେମାନେ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ। ସେପ୍ଟେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ୨୨ରୁ ୨୫ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିପାରିବେ। ଏହାପରେ ବି ଖାଲି ପଡ଼ୁଥିବା ସିଟ୍‌ ପୂରଣ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତୀ ସମୟରେ ନିୟମାବଳି ପ୍ରକାଶ କରାଯିବ। ସୂଚନା ଅନୁଯାୟୀ ଏଥର ୧୦୨୨ କଲେଜର ୨ ଲକ୍ଷ ୪୯ ହଜାର ୬୯୯ ସିଟ୍‌ ପାଇଁ ନାମଲେଖା ହେବ। ବର୍ତମାନ ସୁଦ୍ଧା ୨ ଲକ୍ଷ ୪୫ ହଜାର ୯୬୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୨ ଲକ୍ଷ ୨୨ ହଜାର ୮୫୦ ଜଣ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର