ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍ସ ୱେବସାଇଟ୍ www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ପୂରଣ କରି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ୩୧ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୨ରୁ ୫ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀ ୫ ତାରିଖ ରାତି ୧୧ଟା ୪୫ ମଧ୍ୟରେ ସ୍ଲାଇଡ୍-ଅପ୍ ଅପସନ୍ ଫର୍ମ ପୂରଣ କରିପାରିବେ।
ସେପ୍ଟେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ ଏବଂ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ୧୬ ତାରିଖ ଅପରାହ୍ନ ୨ଟାରେ ସାମ୍ସ ୱେବସାଇଟ୍ ଶିକ୍ଷାନୁଷ୍ଠାନର ଇ-ସ୍ପେସ୍ରେ ଖାଲି ସିଟ୍ ତାଲିକା ପ୍ରକାଶ ପାଇବ। ୧୯ ତାରିଖ ଅପରାହ୍ନ ୨ଟାରୁ ୨୧ ତାରିଖ ପୂର୍ବାହ୍ନ ୧୧ଟା ୪୫ ମଧ୍ୟରେ ଯେଉଁ ଆବେଦନକାରୀ ପୂର୍ବରୁ ଲଗ୍ଇନ୍ କରିଥିବେ ସେମାନେ ସ୍ପଟ୍ ନାମଲେଖା ଲାଗି ସିଏଏଫ୍ ପୂରଣ କରିପାରିବେ। ୨୪ ତାରିଖରେ ଖାଲିଥିବା ସିଟ୍ଗୁଡ଼ିକ ଲାଗି ଚୟନ ତାଲିକା ଶିକ୍ଷାନୁଷ୍ଠାନର ନୋଟିସ୍ ବୋର୍ଡରେ ପ୍ରକାଶ ପାଇବ। ଯଦି କୌଣସି ଆବେଦନକାରୀ ଏକାଧିକ ଚଏସ୍ ତଥା ଅପସନ୍ ପାଇଥିବେ ସ୍ପଟ୍ ନାମଲେଖା ସମୟରେ ସେଥିମଧ୍ୟରୁ ଗୋଟିଏକୁ ଚୟନ କରିବେ। ସେପ୍ଟେମ୍ବର ୨୬ରୁ ୨୮ ମଧ୍ୟରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ୨୯ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଶିକ୍ଷାନୁଷ୍ଠାନର ଇ-ସ୍ପେସ୍ରେ ଉପଲବ୍ଧ ହେବ। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଇ-ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି’ ଆଦାୟ କରିବେ। ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ଆଡମିସନ ହେଲ୍ପଲାଇନ୍ ନମ୍ବର (୧୫୫୩୩୫/ ୧୮୦୦୩୪୫୬୭୭୦) ଜାରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/admission.jpeg)