ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩ (ସ୍ନାତକ) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଧାର୍ଯ୍ୟ ସମୟରେ ସାମ୍ସ ୱେବସାଇଟ୍ରେ ମେଧା ତାଲିକା ପ୍ରକାଶ କରାଯାଇଛି। ସାମ୍ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ବିଏ. ବିଏଡ୍ ଓ ବିଏସ୍ସି ବିଏଡ୍ ପାଠ୍ୟକ୍ରମ ପ୍ରଥମଥର ପାଇଁ ସାମିଲ ହୋଇଥିବାରୁ ଏହି ପାଠ୍ୟକ୍ରମର କଟ୍-ଅଫ୍-ମାର୍କ ରେକର୍ଡ ସୃଷ୍ଟି କରିଛି। କଳା ବିଭାଗରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ବିଏ ବିଏଡ୍ ପାଠ୍ୟକ୍ରମର କଟ୍-ଅଫ୍-ମାର୍କ ହିଁ ଶୀର୍ଷରେ ରହିଛି। ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ, ବାଲେଶ୍ବରସ୍ଥିତ ଫକୀରମୋହନ ସ୍ବୟଂଶାସିତ କଲେଜ ଓ ପୁରୀ ଏସ୍ସିଏସ୍ କଲେଜର କଟ୍-ଅଫ୍-ମାର୍କ କଳା ଓ ବିଜ୍ଞାନ ବିଭାଗର ବିଭିନ୍ନ ବିଷୟରେ ଅଧିକ ରହିଥିବା ଦେଖିବାକୁ ମିଳିଛି। ବାଣିଜ୍ୟ ବିଭାଗରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପୂର୍ବବର୍ଷ ପରି ଏଥର ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିଛି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟରେ ଦ୍ବିତୀୟରେ ରହିଛି। ସେଲ୍ଫ ଫାଇନନ୍ସିଂ ପାଠ୍ୟକ୍ରମରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ବାୟୋ-ଟେକ୍ନୋଲୋଜିରେ ୯୦.୪୦% ଓ ସଂସ୍କୃତରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଥିବା ପ୍ରଦୀପ୍ତ ରାୟ ସଂସ୍କୃତ କଲେଜର ସର୍ବଦର୍ଶନ ବିଷୟର କଟ୍-ଅଫ୍-ମାର୍କ ୬୯.୪୩% ଶୀର୍ଷରେ ରହିଛି।
୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୧ କଲେଜର ୨ ଲକ୍ଷ ୭୦ ହଜାର ୫୪୭ ସିଟ୍ରେ ନାମଲେଖା ପାଇଁ ୨ଲକ୍ଷ ୨୩ ହଜାର ୩୬୪ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟବିବେଚିତ ହୋଇଛନ୍ତି। କଳାରେ ୧ ଲକ୍ଷ ୮ ହଜାର ୪୮୩, ଫିଜିକାଲ ସାଇନ୍ସରେ ୨୪ ହଜାର ୩୩୯, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୯୧୯, ବାଣିଜ୍ୟରେ ୧୭ହଜାର ୨୧୭, ସଂସ୍କୃତରେ ୩ ହଜାର ୮୭୦ ଓ ସେଲ୍ଫ ଫାଇନାନ୍ସିଂରେ ୧୩୬୭ଜଣ ଯୋଗ୍ୟବିବେଚିତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ୭୨ ହଜାର ୧୬୩ଜଣ ଛାତ୍ର, ୧ ଲକ୍ଷ ୨ ହଜାର ୧୫ଜଣ ଛାତ୍ରୀ, ୭ଜଣ କିନ୍ନର ସ୍ନାତକ ପଢ଼ିବାକୁ ମନୋନୀତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୫, ୧୭, ୧୮ ଓ ୧୯ ତାରିଖରେ ନାମ ଲେଖାଇପାରିବେ।