ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଅଧୀନରେ ଦଶମ ଶ୍ରେଣୀ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଶତାଧିକ ଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ଡକାଯାଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ସେମାନେ ନିରାଶ ହୋଇ ଫେରିଛନ୍ତି। କିଏ ଗଞ୍ଜାମରୁ ଭୁବନେଶ୍ବର ଆସି ଫେରିଛନ୍ତି ତ ଆଉ କିଏ କେନ୍ଦ୍ରାପଡ଼ାରୁ ଆସି ଖାଲି ହାତରେ ଲେଉଟିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଘଟଣା ଦୃଷ୍ଟିକୁ ଆସିଛି।
ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଅଧୀନ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ବୋର୍ଡ ପକ୍ଷରୁ ସେମାନଙ୍କୁ ମାର୍କସିଟ୍ର ହାର୍ଡକପି ପ୍ରଦାନ କରାଯାଇ ନାହିଁ। ଡିଜି ଲକର୍ରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍ ରହିଛି। ନାମଲେଖା ସମୟରେ ଛାତ୍ରଛାତ୍ରୀ ତାହାକୁ ଡାଉନ୍ଲୋଡ୍ କରି କଲେଜରେ ଦାଖଲ କରିବାକୁ କୁହାଯାଇଥିଲା। ତେବେ କଲେଜ କର୍ତୃପକ୍ଷ ତାହାକୁ ଗ୍ରହଣ କରି ନ ଥିଲେ। ଯୁକ୍ତି ବାଢ଼ିଥିଲେ ଯେ ଡିଜି ଲକର୍ରୁ ଆଣିଲେ ମଧ୍ୟ ଯେଉଁ ସ୍କୁଲରେ ପଢ଼ୁଥିଲ ସେଠାକାର ଅଧ୍ୟକ୍ଷଙ୍କ ଦସ୍ତଖତ ରହିବା ଆବଶ୍ୟକ। ତେଣୁ ଦସ୍ତଖତ କରି ଆଣିବା ପରେ ଗ୍ରହଣ କରାଯିବ। ଯେଉଁଥିପାଇଁ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀ ନିରାଶ ହୋଇ ଫେରିଛନ୍ତି। ବର୍ତମାନ ସମୟରେ ସ୍କୁଲ ବନ୍ଦ ରହିଥିବାରୁ କିଭଳି ଭାବେ ଅଧ୍ୟକ୍ଷଙ୍କ ହସ୍ତଖତ ଆଣି ଦାଖଲ କରିବୁ ବୋଲି ସେମାନେ କହିଛନ୍ତି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ମଗାଯାଇଥିଲେ ମଧ୍ୟ ଉକ୍ତ ଦୁଇ ବୋର୍ଡ ଦେଇ ନ ଥିବାରୁ ଆଉ କିଛି କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ନ କରି ଫେରାଇ ଦେଇଛନ୍ତି। ଏଭଳି ସମସ୍ୟା ଭିତରେ ପ୍ରଥମ ଦିନରେ ୫୮ ହଜାର ୮୫୨ ଜଣ ଛାତ୍ରଛାତ୍ରୀ ନାମଲେଖାଇଥିବା ସୂଚନା ମିଳିଛି।
କଳା ବିଭାଗରେ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍ ମଧ୍ୟରୁ ୩୨ ହଜାର ୬୧୪ ସିଟ୍ ପୂରଣ ହୋଇଛି। ବିଜ୍ଞାନ ବିଭାଗର ୧ ଲକ୍ଷ ୪୫ ହଜାର ୯୯୮ ସିଟ୍ ମଧ୍ୟରୁ ୧୭ ହଜାର ୯୨୭, ବାଣିଜ୍ୟ ବିଭାଗର ୪୪ ହଜାର ୩୨୩ ସିଟ୍ ମଧ୍ୟରୁ ୫ ହଜାର ୨୬୩, ସଂସ୍କୃତ ବିଭାଗର ୧୧ ହଜାର ୭୧୨ ସିଟ୍ ମଧ୍ୟରୁ ୧୫୭୩ ଓ ଧନ୍ଦାମୂଳକ ବିଭାଗର ୧୧ ହଜାର ୨୪ ସିଟ୍ରୁ ୧୪୭୫ ସିଟ୍ରେ ନାମଲେଖା ହୋଇଛି। ୨୬ ତାରିଖ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ତାରିଖ ଓ ସମୟ ଅନୁଯାୟୀ ଡକାଯାଇଛି।
ନାମଲେଖା ସମୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ପାଳନ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ତାହା କରାଯାଇ ନାହିଁ। ରାଜ୍ୟର ବିଭିନ୍ନ କଲେଜରେ କୋଭିଡ୍ ନିୟମର ଖୁଲମ୍ଖୁଲା ଉଲ୍ଲଂଘନ ହୋଇଛି। ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ କୋଭିଡ୍ ନିୟମ ପାଳନ କରିନାହାନ୍ତି। ସବୁଠି ଭିଡ଼ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଅଭିଭାବକ ମାସ୍କ ପିନ୍ଧି ନ ଥିବା ବି ଦୃଷ୍ଟିକୁ ଆସିଛି। କଲେଜ କର୍ତୃପକ୍ଷ ଏହାକୁ ହେୟଜ୍ଞାନ କରିଥିବା ବି ଅଭିଯୋଗ ହୋଇଛି।