ଯୁକ୍ତ୨ ନାମଲେଖା ପାଇଁ ୪.୩୯ ଲକ୍ଷ ଆବେଦନ

ଭୁବନେଶ୍ବର : ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର ମୋଟ ୪ଲକ୍ଷ ୯୯ ହଜାର ୧୨୩ ସିଟ୍‌ ପାଇଁ ୪ ଲକ୍ଷ ୭୧ ହଜାର ୬୧୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୩୯ ହଜାର ୩୮୬ ଜଣ ଆବେଦନ କରିଥିବା ବେଳେ ୪ ଲକ୍ଷ ୩୩ ହଜାର ୩୭୧ ଜଣ ଫି’ ଦାଖଲ କରିଛନ୍ତି। ପ୍ରାୟ ୩୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ ମଧ୍ୟ ଆବେଦନ କରିନାହାନ୍ତି। ମାଟ୍ରିକ୍‌ ପାସ୍‌ କରିଥିବା ଏତେ ସଂଖ୍ୟକ ପିଲା କାହିଁକି ଉଚ୍ଚଶିକ୍ଷା ପାଇଁ ଆବେଦନ କରିନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।

୨୦୨୧-୨୨ରେ କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୭୬ ହଜାର ୨୭୪ ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୫୪ ହଜାର ୧୯୩, ବାଣିଜ୍ୟରେ ୪୫ହଜାର ୪୪, ସଂସ୍କୃତରେ ୧୩ ହଜାର ୨୦୪, ଧନ୍ଦାମୂଳକ ବିଭାଗର ୧୦ ହଜାର ୪୦୮ ସିଟ୍‌ରେ ସାମ୍‌ସ ମାଧ୍ୟମରେ ନାମଲେଖା କରାଯିବ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧ହଜାର ୬୩୪ ସିଟ୍‌ରେ ନାମଲେଖା ହେବ। ସେଥିମଧ୍ୟରୁ କଳାରେ ୨୦ ହଜାର ୭୯୭, ବିଜ୍ଞାନରେ ୧୫ ହଜାର ୬୪୯, ବାଣିଜ୍ୟରେ ୪୨୦୮ ସିଟ୍‌ ରହିଛି। ଖୋର୍ଧା ଜିଲ୍ଲାରେ ନାମଲେଖା ହେବାକୁ ଥିବା ୪୦ ହଜାର ୧୫୨, କଟକରେ ୩୬ ହଜାର ୯୭୮, ବାଲେଶ୍ବରରେ ୩୪ ହଜାର ୩୭୨, ମୟୂରଭଞ୍ଜରେ ୨୯ ହଜାର ୧୯୪, ପୁରୀରେ ୨୪ ହଜାର ୧୯୩, ସୁନ୍ଦରଗଡ଼ରେ ୨୨ ହଜାର ୨୨୬ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୦ ହଜାର ୪୪୯ ସିଟ୍‌ରେ ନାମଲେଖା ହେବ।

ସମ୍ବନ୍ଧିତ ଖବର