ଯୁକ୍ତ୨ ନାମଲେଖା: କଲେଜ କଟକଣା ହଟିଲା, ବହୁ କଲେଜ ଲାଗି ଆବେଦନ କରିପାରିବେ

ହ୍ବାଟସ୍‌ଆପ୍‌ ଓ ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ନମ୍ବର ବାଧ୍ୟତାମୂଳକ, ଜାରି ହେଲା ଦୁଇଟି ଟୋଲ-ଫ୍ରି’ ନମ୍ବର

ଭୁବନେଶ୍ବର : ଯୁକ୍ତ୨ ନାମଲେଖା ପାଇଁ ଆବେଦନ କଟକଣାକୁ ହଟାଇ ଦିଆଯାଇଛି। ଏଣିକି ଜଣେ ଆବେଦନକାରୀ ନିଜ ମାର୍କ ଅନୁଯାୟୀ ବହୁ କଲେଜରେ ପଢ଼ିବା ଲାଗି ଆବେଦନ କରିପାରିବେ। ଆଗରୁ ଜଣେ ଛାତ୍ର ମାତ୍ର ୧୦ଟି କଲେଜ ପାଇଁ ଆବେଦନ କରିପାରୁଥିଲେ। ଚଳିତବର୍ଷ କୌଣସି ସୀମା ରଖାଯାଇ ନ ଥିଲେ ମଧ୍ୟ ସର୍ବନିମ୍ନ ୫ଟି କଲେଜରେ ଲାଗି ଆବେଦନ କରିବାକୁ ବାଧ୍ୟ। ଏଥିସହ ଅନ୍‌ଲାଇନ୍‌ରେ ହେଉଥିବା ଆବେଦନ ପ୍ରକ୍ରିୟା ଓ ଆବେଦନକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏଥର କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌)ରେ ହ୍ବାଟସ୍‌ଆପ୍‌ ନମ୍ବର ଦାଖଲ କରିବାକୁ କୁହାଯାଇଛି। ସ୍କୁଲରେ ପଢ଼ିବା ସମୟରେ ପିଲାଙ୍କୁ ଦିଆଯାଇଥିବା ୧୬ଟିକିଆ ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ନମ୍ବରକୁ ଫର୍ମ ପୂରଣ ସମୟରେ ଦେବାକୁ ବାଧ୍ୟତାମୂଳକ ହୋଇଛି। ନାମଲେଖା ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ-ଫ୍ରି’ନମ୍ବର ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ଜାରି ହୋଇଛି। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଏହି ନମ୍ବରରେ ଯୋଗ‌ାଯୋଗ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆୟର କହିଛନ୍ତି ଯେ ଯୁକ୍ତ୨ କଲେଜଗୁଡ଼ିକରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଦିନ ମଧ୍ୟରେ ୧ ଲକ୍ଷ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମ୍‌ସ ପୋର୍ଟାଲରେ ଆବେଦନ କରିସାରିଲେଣି। ଚଳିତବର୍ଷ ୨୦୫୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ୫ଲକ୍ଷ ୪ହଜାର ସିଟ୍‌ ରହିଛି। ଯଦି ଆବଶ୍ୟକ ପଡ଼େ ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବ। ସେପ୍ଟେମ୍ବର ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସିବିଏସ୍‌ଇ ବୋର୍ଡ ଅଧୀନ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିଥିବାରୁ ସେମାନେ ମଧ୍ୟ ଯୁକ୍ତ୨ କଲେଜରେ ପଢ଼ିବା ଲାଗି ଆବେଦନ କରିପାରିବେ। ହାତରେ କମ୍‌ ସମୟ ରହିଥିବାରୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା ନ କରି ନିର୍ଧାରିତ ସମୟ ଅବଧି ପୂର୍ବରୁ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ୨୧୮ଟି ଧନ୍ଦାମୂଳକ କଲେଜରେ ନାମଲେଖା ମଧ୍ୟ ଚାଲିଛି। ଯେଉଁଥିରେ କୃଷି, ସ୍ବାସ୍ଥ୍ୟ, ଇଞ୍ଜିନିୟରିଂ, ଟେକ୍ନୋଲୋଜି, ବାଣିଜ୍ୟ, ଗୃହ ବିଜ୍ଞାନ ପରି ବିଷୟରେ ଶିକ୍ଷା ଦିଆଯାଉଛି।

ସେହିପରି www.odishacareerportal.com ମାଧ୍ୟମରେ ଛାତ୍ରଛାତ୍ରୀ ନିଜର କ୍ୟାରିଅର ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇ ପାରିବେ। ନିର୍ଦ୍ଦେଶାଳୟ ପକ୍ଷରୁ ରାଗିଂ ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। କୌଣସି ପିଲା ଯଦି ରାଗିଂର ଶିକାର ହୁଅନ୍ତି, ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। କ୍ୟାମ୍ପସରେ ରାଗିଂ ରୋକିବାକୁ କିଭଳି ପଦକ୍ଷେପ ନିଆଯିବ, ସେନେଇ ବିଚାର ଆଲୋଚନା ଜାରି ରହିଥିବା ନେଇ ନିର୍ଦ୍ଦେଶକ ଶ୍ରୀ ଆୟର କହିଛନ୍ତି। ଏବର୍ଷ କୌଣସି କଲେଜରେ ନାମଲେଖା ଉପରେ କଟକଣା ଲଗାଯାଇ ନାହିଁ, ବରଂ ଯେଉଁ କଲେଜ ଆବେଦନ କରୁଛନ୍ତି, ତାହାର ଭିତ୍ତିଭୂମି ଦେଖି ଅନୁମତି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର