ଭୁବନେଶ୍ୱର : କରୋନା ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯୁକ୍ତ୨ ପ୍ରଥମ ବର୍ଷରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଦାଖଲ କରିବାକୁ ସାମ୍ସ ରିସୋର୍ସ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ। ସିଏଏଫ୍ର ଯାଞ୍ଚ ଓ ବୈଧତା ନାମଲେଖା ସମୟରେ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ କରାଯିବ। ମାର୍କସିଟ୍, ସ୍କୁଲ ଲିଭିଂ ସାର୍ଟିଫିକେଟ୍, କଣ୍ଡକ୍ଟ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍, ସଂରକ୍ଷିତ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ ନାମଲେଖା ସମୟରେ ହେବ। ଯଦି କୌଣସି ଛାତ୍ରଛାତ୍ରୀ ନାମଲେଖା ସମୟରେ ବୈଧ କାରଣ ଦେଖାଇ ଉପରୋକ୍ତ ଡକ୍ୟୁମେଣ୍ଟ ଦେଇପାରିବେ ନାହିଁ, ସେମାନଙ୍କୁ ଗୋଟିଏ ମାସ ଲିଖିତ ମହଲତ ମିଳିବ। ଯଦି ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ନାମଲେଖା ବାତିଲ୍ କରାଯିବ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି।
ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ ଛାତ୍ରଛାତ୍ରୀଙ୍କ ନାମଲେଖା ଆବେଦନ ଫି’କୁ ହ୍ରାସ କରାଯାଇଛି। ପୂର୍ବରୁ ସିଏଏଫ୍ ପୂରଣ ବାବଦରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା ଫି’ ଦେବାକୁ ପଡ଼ୁଥିଲା। ତେବେ କରୋନା ମହାମାରୀ ସମୟରେ ଅଭିଭାବକଙ୍କ ଆର୍ଥିକ ସ୍ଥିତିକୁ ଅନୁଭବ କରି ଏବେ ତାହାକୁ ୨୦୦ ଟଙ୍କାକୁ ହ୍ରାସ କରାଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ଏହି ଅର୍ଥ ୨୦୦ ଟଙ୍କାରୁ ୧୦୦ ଟଙ୍କାକୁ କମାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ଯାଞ୍ଚ ସମୟରେ ସିଏଏଫ୍ ଓ ଓରିଜିନାଲ ମାର୍କସିଟ୍, ସଂରକ୍ଷଣ ଓ ୱେଟେଜ୍ ଡକ୍ୟୁମେଣ୍ଟ ମଧ୍ୟରେ ଯଦି କୌଣସି ପ୍ରକାର ପ୍ରଭେଦ ଦେଖିବାକୁ ମିଳେ, ତାହା ହେଲେ ଆଡମିସନ ଟିମ୍ର ସଦସ୍ୟମାନେ ଉକ୍ତ ସିଏଏଫ୍କୁ ରିଜେକ୍ଟ କରିଦେବେ। ଏ ବାବଦରେ ସାମ୍ସରେ ଅନ୍ଲାଇନ୍ ମାଧ୍ୟମରେ ନାମଲେଖା ସ୍ଥିତି (ଅନୁମତି/ଅନୁମତି ମିଳିବନି) ଲେଖାଯିବ। ଯେଉଁମାନଙ୍କୁ ଅନୁମତି ମିଳିବନି, ସେମାନେ ପରବର୍ତୀ ପର୍ଯ୍ୟୟ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ। ୩ଟି କାରଣ ଲାଗି ଯୁକ୍ତ୨ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ବଦଳି ହୋଇପାରିବ। ଅଭିଭାବକଙ୍କ ମୃତ୍ୟୁ, ଛାତ୍ରୀଙ୍କ ବିବାହ ଓ ଅତ୍ୟାନ୍ତ ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲେ ଛାତ୍ରଛାତ୍ରୀ ବଦଳି ପାଇଁ ଆବେଦନ କରିପାରିବେ। ରେଗୁଲାର ନାମଲେଖା ସରିବାର ୧୫ଦିନ ପରେ କରେସ୍ପଣ୍ଡେଣ୍ଟ କୋର୍ସ ଲାଗି ନାମଲେଖା ହେବ। ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ଆଗ୍ରହୀ ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଗତବର୍ଷ ପରି ଏଥର ମଧ୍ୟ ନାମଲେଖା ଲାଗି ସମାନ ଚୟନ ପ୍ରକ୍ରିୟା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/plus-two-admission.jpg)