ଭୁବନେଶ୍ୱର : ରାଜ୍ୟର ୨୧୫୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି। ଜୁଲାଇ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନାମଲେଖା ପ୍ରକ୍ରିୟାର ପ୍ରଥମ ଦିନରେ ୫୫ ହଜାର ୭୦୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସେମାନଙ୍କ ହ୍ୱାଟ୍ସଆପରେ ସୂଚନା ବା ଇଣ୍ଟିମେସନ ପଠାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ନିଜର ଇଣ୍ଟିମେସନ ଲେଟର ଆଣି ଆସିନଥାନ୍ତି, ତେବେ ସେମାନେ ହ୍ୱାଟ୍ସଆପ ମେସେଜ ଦେଖାଇ ନାମ ଲେଖାଇପାରିବେ। ଏ ଦିଗରେ ପଦକ୍ଷେପ ନେବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପ୍ରତିଦିନ ଘଣ୍ଟା ପ୍ରତି ୧୫ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଇଣ୍ଟିମେସନ ପଠାଯାଇଛି। ବିଳମ୍ବରେ ଆସିଥିବା ପ୍ରାର୍ଥୀମାନଙ୍କ ନାମଲେଖା ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖରେ କୌଣସି କାରଣରୁ ନାମଲେଖା ପାଇଁ ଉପସ୍ଥିତ ହୋଇପାରିବେ ନାହିଁ, ସେମାନେ ଜୁଲାଇ ୧୩ ମଧ୍ୟରେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟାର ସୂଚନା ଦେଇଛନ୍ତି।