ଯୁକ୍ତ୨ ନାମଲେଖା ଆରମ୍ଭ: ପ୍ରଥମ ଦିନରେ ୫୧ ହଜାର ନାମ‌ ଲେଖାଇଲେ

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୧ ହଜାର ୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। କଳାରେ ସର୍ବାଧିକ ୨୬ ହଜାର ୭୫୫ ଜଣ ନାମ ଲେଖାଇଥିବା ବେଳେ ବିଜ୍ଞାନରେ ୧୮ ହଜାର ୨୬୩, ବାଣିଜ୍ୟରେ ୪ ହଜାର ୪୩୬, ସଂସ୍କୃତରେ ୭୮୮ ଓ ଧନ୍ଦାମୂଳକ ବିଭାଗରେ ୭୭୮ଜଣ ନାମ ଲେଖାଇଛନ୍ତି। ବାଲେଶ୍ବରରେ ସର୍ବାଧିକ ୪୯୭୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହା ତଳକୁ ଗଞ୍ଜାମରେ ୪୫୩୫, କଟକରେ ୪୦୪୯, ଖୋର୍ଧାରେ ୩୮୪୦, ମୟୂରଭଞ୍ଜରେ ୩୬୮୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ତେବେ ବନ୍ୟା ଓ ମାଟ୍ରିକ୍‌ ପାସ୍‌ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଏବଂ ମାର୍କସିଟ୍‌ ମିଳି ନ ଥିବାରୁ ନାମଲେଖା ଅବଧି ବୃଦ୍ଧି କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି।

ଏ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୮୦ ହଜାର ୭୦୪ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୪ହଜାର ୪୦୦ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୯ ହଜାର ୭୧୩ ଛାତ୍ରଛାତ୍ରୀ ନାମଲେଖ‌ା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୬୫୩, ବାଣିଜ୍ୟରେ ୨୫ ହଜାର ୫ଜଣ, ସଂସ୍କୃତରେ ୭୦୦୧ ଓ ଧନ୍ଦାମୂଳକ ବିଭାଗରେ ୫୦୨୮ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଲକ୍ଷ ୫୨୩ଜଣ ଛାତ୍ର ଓ ୨ ଲକ୍ଷ ୩ ହଜାର ୮୪୫ଜଣ ଛାତ୍ରୀ ରହିଛନ୍ତି। ୩୨ଜଣ କିନ୍ନର ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର