୨୦ରୁ +୨ ନାମଲେଖା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଏକାଦଶ (+୨ ପ୍ରଥମ ବର୍ଷ) ଶ୍ରେଣୀରେ ଆସନ୍ତା ୨୦ତାରିଖରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଅନଲାଇନ୍ ମୋଡରେ ନାମ ଲେଖା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ www.samsodisha.gov.inରେ ଅଗଷ୍ଟ ୧୦ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି। ଅଗଷ୍ଟ ୧୭ରେ ପ୍ରଥମ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏହି ଛାତ୍ରଛାତ୍ରୀଙ୍କର ଅଗଷ୍ଟ ୧୯ରୁ ୨୫ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅପ୍ସନ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍‌ ଅନୁରୋଧ ଦେଇପାରିବେ। ସେପ୍ଟେମ୍ବର ୨ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ହେବ। ସେପ୍ଟେମ୍ବର ୧୩ରେ ସ୍ପଟ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୩ରୁ ୧୪ ମଧ୍ୟରେ ଏହି ଛାତ୍ରଛାତ୍ରୀ ସେମାନେ ଚୟନ କରିଥିବା ସ୍କୁଲରେ ନାମ ପଞ୍ଜୀକରଣ କରିବେ। ଏହାପରେ ସେପ୍ଟେମ୍ବର ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହ‌ିଦିନ ମଧ୍ୟାହ୍ନ ୧୨ଟାରୁ ୧୬ତାରିଖ ଅପରାହ୍ନ ୫ଟା ମଧ୍ୟରେ ସ୍ପଟ୍ ସିଲେକ୍ସନ୍ ଛାତ୍ରଛାତ୍ରୀଙ୍କର ନାମଲେଖା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ହେଲେ ଏବେ ସିବିଏସ୍ଇ ଏବଂ ଆଇସିଏସ୍‌ଇ ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶ ପାଇନି। ତେଣୁ ଏହି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଚିନ୍ତାରେ ଅଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ସିବିଏସ୍‌ଇ ଓ ଆଇସିଏସ୍‌ଇ ଫଳ ବାହାରିନି। ଏହା ଆମ ନଜରରେ ଅଛି। ଧାର୍ଯ୍ୟ ସମୟରେ ପ୍ରକାଶ ନପାଇଲେ ଆବଶ୍ୟକ ସ୍ଥଳେ ନାମଲେଖା ଲାଗି ଆବେଦନ ତାରିଖ ଘୁଞ୍ଚାଯିବ।

ସମ୍ବନ୍ଧିତ ଖବର