ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ଗତବର୍ଷ ଅପେକ୍ଷା‌ ଏଥର ମାଟ୍ରିକ୍‌ ତଥା ଦଶମ ଶ୍ରେଣୀରେ ପାସ୍‌ହାର କମ୍‌ ରହିଥିଲେ ମଧ୍ୟ କଟ୍‌ ଅଫ୍‌ ମାର୍କ ସବୁ ରେକର୍ଡ ଭାଙ୍ଗିଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଣିଥରେ ଶୀର୍ଷରେ ରହିଛି। ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ଆଗ୍ରହ ଦେଖାଇଛନ୍ତି। କଳା ବିଭାଗରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ରେଭେନ୍ସାକୁ ପଛରେ ପକାଇ ଆକସ୍ମିକ ଭାବେ ଶୀର୍ଷରେ ପହଞ୍ଚିଛି। ବିଜେବି ସମେତ ରାଜ୍ୟର ଅନ୍ୟାନ୍ୟ ନାମକରା କଲେଜଗୁଡ଼ିକ ଏଥର ମଧ୍ୟ ବହୁ ପଛରେ ପଡ଼ିଛନ୍ତି। ହାତଗଣତି ଘରୋଇ କଲେଜ ବ୍ୟତୀତ ବିଜ୍ଞାନ ବିଭାଗରେ ଭଲ ରେଜଲ୍ଟ କରୁଥିବା ଯୁକ୍ତ୨ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ସେଭଳି ଆଖିଦୃଶିଆ ହୋଇପାରି ନାହିଁ। ତେବେ ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗରେ ବିଜେବି ଜୁନିଅର କଲେଜକୁ ପଛରେ ପକାଇ ଦେଇଛି। କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର କଟ୍‌ ଅଫ୍‌ ମାର୍କ ତଥା ମେଧା ତାଲିକା ମଧ୍ୟ ଆଜି ପ୍ରକାଶ ପାଇଛି।

Advertisment

ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ
କଳାରେ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ

ଏ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୮୦ ହଜାର ୭୦୪ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୪ହଜାର ୪୦୦ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୯ ହଜାର ୭୧୩ ଛାତ୍ରଛାତ୍ରୀ ନାମଲେଖ‌ା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୬୫୩, ବାଣିଜ୍ୟରେ ୨୫ ହଜାର ୫ଜଣ, ସଂସ୍କୃତରେ ୭୦୦୧ ଓ ଧନ୍ଦାମୂଳକ ବିଭାଗରେ ୫୦୨୮ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଲକ୍ଷ ୫୨୩ଜଣ ଛାତ୍ର ଓ ୨ ଲକ୍ଷ ୩ ହଜାର ୮୪୫ଜଣ ଛାତ୍ରୀ ରହିଛନ୍ତି। ୩୨ଜଣ କିନ୍ନର ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତା ୧୯ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦରୁ ପାସ୍‌ କରିଥିବା ୩ ଲକ୍ଷ ୮୪ ହଜାର ୯୦ଜଣ, ସିବିଏସ୍‌ଇରୁ ୧୬ ହଜାର ୧୨୨, ଆଇସିଏସ୍‌ଇରୁ ୩୧୨୨ ଜଣ ଓ ଅନ୍ୟାନ୍ୟ ବୋର୍ଡରୁ ଆବେଦନ କରିଥିବା ୧୦୬୬ଜଣ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ବିଭାଗ ଅନୁଯାୟୀ କଟ୍‌ ଅଫ୍‌ ମାର୍କ(ଶ୍ରେଷ୍ଠ ୧୦ କଲେଜ)
କଲେଜ(କଳା)    ଜେନେରାଲ
କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ୮୩.୫୦
ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ୮୩.୩୩
ନରସିଂହପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ୮୩.୧୭
ମହେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁନ୍ଦରଗଡ଼ ୮୨.୮୩
କୃଷ୍ଣଚନ୍ଦ୍ର ପିପିଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ବର ୮୨.୫୦
ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବରଗଡ଼ ୮୨.୩୩
ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ବର ୮୨.୦୦
ରୁରାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୋଗରାଇ, ବାଲେଶ୍ବର ୮୧.୮୩
ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ବର ୮୧.୬୭
ଖଇରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ବର ୮୧.୩୩

କଲେଜ(ବିଜ୍ଞାନ)    ଜେନେରାଲ
ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ୯୪.୩୩
ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠନଗର ୯୩.୨୦
ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୯୩.୦୦
ଉପେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୋର ୯୨.୬୭
ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୯୧.୮୩
ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯାଜପୁର ୯୧.୫୦
ବେସିକ୍‌ ସାଇନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ବର ୯୧.୩୩
ଜେକେବିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ୯୧.୦୦
ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର ୮୯.୬୭
ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮୯.୬୭

କଲେଜ(ବାଣିଜ୍ୟ)     ଜେନେରାଲ
ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮୪.୧୭
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ୮୦.୬୭
ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ବର ୭୯.୮୩
ଜେକେବିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ୭୮.୧୭
ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୮.୧୭
ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ବର ୭୬.୫୦
ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର ୭୪.୫୦
ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଦ୍ରକ ୭୪.୧୭
ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମ୍ବଲପୁର ୭୪.୦୦