ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ଶୁକ୍ରବାର ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ସାମ୍‌ସ ୱେବସାଇଟ୍‌ରେ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ କରାଯିବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବ।

Advertisment

ଅନ୍ୟପକ୍ଷରେ ନାମଲେଖା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷ‌ା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଲାଗି ନିର୍ଦେଶାବଳୀ ଜାରି ହୋଇଛି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ କଲେଜ କ୍ୟାମ୍ପସରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି। କ୍ୟାମ୍ପସ ପ୍ରବେଶ ପଥରେ ପାଣି, ହ୍ୟାଣ୍ଡୱାସ୍‌, ସାନିଟାଇଜର ରଖିବା, ନାମଲେଖା ସେଣ୍ଟରରେ ଥିବା ସଦସ୍ୟମାନେ ମାସ୍କ ପିନ୍ଧିବେ, ୬ ଫୁଟ ଦୂରତା ରକ୍ଷା କରିବେ। ନାମଲେଖ‌ାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ଜଣେ ମାତ୍ର ଅଭିଭାବକ ଆସିପାରିବେ। କଲେଜଗୁଡ଼ିକ ଦୁଇଟି ପର୍ଯ୍ୟାୟ(ସକାଳ ୯ଟାରୁ ଅପରାହ୍ନ ୧ଟା ଓ ଅପରାହ୍ନ ୧ଟା ୩୦ରୁ ସଂଧ୍ୟା ୫ଟା)ରେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ଇଣ୍ଟିମେସନ ଲେଟରରେ କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ, ନାମଲେଖା ସମ୍ପର୍କିତ ଡକ୍ୟୁମେଣ୍ଟ ରହିବ। ପ୍ରତି ଘଣ୍ଟାକୁ ଅତିବେଶିରେ ବିଭାଗ ପିଛା ୧୫ ଜଣ ପ୍ରାର୍ଥୀଙ୍କୁ ଡାକିବାକୁ କୁହାଯାଇଛି। ୯ଟାରୁ ୫ଟା ପର୍ଯ୍ୟନ୍ତ ନାମଲେଖା ହେବ। ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ରହିବ। ଯେଉଁମାନେ ନିର୍ଦ୍ଧାରିତ ସମୟରେ ନାମଲେଖାଇ ପାରିବେ ନାହିଁ ସେମାନଙ୍କୁ ଆପରାହ୍ନ ୪ଟାରୁ ୫ଟା ମଧ୍ୟରେ ସୁଯୋଗ ଦିଆଯିବ।

୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେବ। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ନାମଲେଖା ପାଇଁ ୪ ଲକ୍ଷ ୧୫ ହଜାର ୭ ଜଣ ଛାତ୍ରଛାତ୍ରୀ ନାମ‌ ପଞ୍ଜୀକରଣ କରିଥିବା ବେଳେ ୩ ଲକ୍ଷ ୮୩ ହଜାର ୨୫୧ ଜଣ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ୩ ଲକ୍ଷ ୭୯ ହଜାର ୮୧୫ ଜଣ ଫି' ଦାଖଲ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍‌ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୯୯୮, ବାଣିଜ୍ୟରେ ୪୪ ହଜାର ୩୨୩, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକ ବିଭାଗର ୧୧ ହଜାର ୨୪ ସିଟ୍‌ରେ ନାମଲେଖା କରାଯିବ।