ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ : ସମ୍ଭାବନା, ମୈତ୍ରୀ ଓଡ଼ିଶା ଟପର୍‌

ଉଭୟ ବିଭାଗରେ ବଢ଼ିଲା ପାସ୍‌ହାର
ବରଗଡ଼ ଶୀର୍ଷରେ, ନବରଙ୍ଗପୁର ପଛରେ
ଝିଅ ଆଗରେ, ପୁଅ ପଛରେ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୧୯ ତୁଳନାରେ ଏଥର କଳାରେ ୧.୬୭% ଓ ଧନ୍ଦାମୂଳକରେ ପାସ୍‌ହାର ୪.୯୧% ବୃଦ୍ଧି ପାଇଛି। କଳାରେ ପାସ୍‌ହାର ୬୭.୫୬% ଥିବା ବେଳେ ଧନ୍ଦାମୂଳକରେ ୫୭.୫୩% ରହିଛି। ଉଭୟ ବିଭାଗରେ ଜଣେ ଲେଖାଏଁ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ରାଜ୍ୟରେ ଟପର୍‌ ହୋଇଛନ୍ତି। କଳା ବିଭାଗରେ ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ମା’ ତାରିଣୀ କଲେଜର ସମ୍ଭାବନା ସାହୁ ୫୪୬ନମ୍ବର ଓ ଧନ୍ଦାମୂଳକ ବିଭାଗରେ କେନ୍ଦ୍ରାପଡ଼ା ସରକାରୀ ଧନ୍ଦାମୂଳକ ଜୁନିଅର କଲେଜର ମୈତ୍ରୀ ରାଉତ ୫୪୧ ନମ୍ବର ରଖି ଟପର୍‌ ହୋଇଛନ୍ତି।

କଳା ବିଭାଗରେ ପରୀକ୍ଷା ଦେଇଥିବା ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୨ ହଜାର ୧୯୬ ଜଣ ପ୍ରଥମ ଶ୍ରେଣୀ, ୨୬ ହଜାର ୨୭ ଜଣ ଦ୍ବିତୀୟ ଓ ୧ ଲକ୍ଷ ୧୦୧ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରେଗୁଲାର୍‌ରେ ୧ ଲକ୍ଷ ୯୧ ହଜାର ୮୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୩୬ ହଜାର ୧୩୯ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୨୦ ହଜାର ୫୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ହଜାର ୩୦୮ଜଣ ପାସ୍‌ କରିଛନ୍ତି। ପତ୍ର ବିନିମୟ ମାଧ୍ୟମରେ ପରୀକ୍ଷା ଦେଇଥିବା‌ ୭ ହଜାର ୨୬୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ହଜାର ୫ଜଣ ପାସ୍‌ କରିଛନ୍ତି। କଳା ବିଭାଗରେ ବରଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୭୬.୬୩% ଓ ଲଗାତାର ୩ୟଥର ପାଇଁ ନବରଙ୍ଗପୁର ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୪୪.୬୭% ହୋଇଛି। ଗତବର୍ଷ ୫ଟି କଲେଜର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଏଥରକ ୧୦ଟି କଲେଜର ସମସ୍ତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। କୌଣସି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇନି।

ପରୀକ୍ଷା ଦେଇଥିବା ୧୧୮୭ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୫୯୭ଜଣ ୮୦%ରୁ ଅଧିକ ଓ ୫ ହଜାର ୭୭୧ ଜଣ ୭୦%ରୁ ଅଧିକ ନମ୍ବର ରଖିଛନ୍ତି। କମ୍ପାର୍ଟମେଣ୍ଟାଲରେ ୧୨୮ ଜଣ ରହିଛନ୍ତି। କଳାରେ ବି ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜିମାତ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୯୬ ହଜାର ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୫ ହଜାର ୭୬୬ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୭.୫୩% ରହିଛି। ୫,୭୬୬ ଜଣ ପ୍ରଥମ, ୭,୯୭୭ ଜଣ ଦ୍ବିତୀୟ ଓ ୪୧ ହଜାର ୯୭୪ ଜଣ ଛାତ୍ର ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୧ ଲକ୍ଷ ୨୨ ହଜାର ୭୯୫ ଛାତ୍ରୀଙ୍କ ମଧ୍ୟରୁ ୯୨ ହଜାର ୬୮୬ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୭୫.୪୮% ହୋଇଛି। ୧୬ ହଜାର ୪୩୦ ଜଣ ପ୍ରଥମ, ୧୮ ହଜାର ୫୦ ଜଣ ଦ୍ବିତୀୟ ଓ ୫୮ ହଜାର ୧୨୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁସୂଚିତ ଜାତି ବର୍ଗର ୪୧ ହଜାର ୯୮୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୫ ହଜାର ୩୩୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଅନୁସୂଚିତ ଜନଜାତି ବର୍ଗରେ ପରୀକ୍ଷା ଦେଇଥିବା ୪୬ ହଜାର ୮୯୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ ହଜାର ୩୧୯ ଜଣ ପାସ୍‌ କରିଛନ୍ତି।

ଅନ୍ୟପକ୍ଷରେ ଧନ୍ଦାମୂଳକ ବିଭାଗରେ ପରୀକ୍ଷା ଦେଇଥିବା ୭ ହଜାର ୩୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ହଜାର ୪୬ ଜଣ ପାସ୍‌ କରିଛନ୍ତି। ୫୮୫ ଜଣ ପ୍ରଥମ ଶ୍ରେଣୀ, ୧,୩୨୭ ଜଣ ଦ୍ବିତୀୟ ଓ ୧୯୮୯ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପରି ଧନ୍ଦାମୂଳକ ବିଭାଗରେ ବରଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୭୮.୪୦% ଓ ଲଗାତାର ୩ୟ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୧୨.୫୦% ହୋଇଛି। ଗତବର୍ଷ ୭ଟି କଲେଜର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଏଥରକ ୫ଟି କଲେଜର ସମସ୍ତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦ଟି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଛି।

ପରୀକ୍ଷା ଦେଇଥିବା ୨୨୦ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ୧୯ଜଣ ୮୦%ରୁ ଅଧିକ ଓ ୯୮ ଜଣ ୭୦%ରୁ ଅଧିକ ନମ୍ବର ରଖିଛନ୍ତି। ଏଥିରେ ବି ଛାତ୍ରୀମାନେ ଆଗରେ ରହିଛନ୍ତି। ପରୀକ୍ଷା ଦେଇଥିବା ୩୭୩୧ଜଣ ଛାତ୍ରଙ୍କ ମଧ୍ୟରୁ ୧୯୪୧ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୨.୦୩% ହୋଇଛି। ୨୫୯ଜଣ ପ୍ରଥମ, ୬୫୭ଜଣ ଦ୍ବିତୀୟ ଓ ୯୫୨ଜଣ ଛାତ୍ର ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୩୩୦୨ ଛାତ୍ରୀଙ୍କ ମଧ୍ୟରୁ ୨୧୦୫ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୬୩.୭୪%ହୋଇଛି। ୩୨୬ଜଣ ପ୍ରଥମ, ୬୭୦ଜଣ ଦ୍ବିତୀୟ ଓ ୧୦୩୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁସୂଚିତ ଜାତି ବର୍ଗର ୧୨୫୬ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୧୭ ଓ ଅନୁସୂଚିତ ଜନଜାତି ବର୍ଗର ୧୦୪୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨୬ ଜଣ ପାସ୍‌ କରିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭୂପିନ୍ଦର ସିଂ ପୁନିଆ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା, ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ପରିଷଦର ଉପାଧ୍ୟକ୍ଷ ବୃନ୍ଦାବନ ଶତପଥୀ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର