ଯୁକ୍ତ୨ ମୂଲ୍ୟାୟନ: ବିଶେଷଜ୍ଞ କମିଟିକୁ ନେଇ ଉଠିଲା ପ୍ରଶ୍ନ

ସରକାରଙ୍କୁ ପ୍ରସ୍ତାବ ଦେବ ଶିକ୍ଷକ ସଙ୍ଗଠନ, ବାହାରେ ମୁହଁ ନ ଖୋଲିବାକୁ କମିଟି ସଦସ୍ୟଙ୍କୁ ନିର୍ଦେଶ

ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷା ବାତିଲ୍‌ ପରେ ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ଗଠିତ ହୋଇଥିବା ୧୪ ଜଣିଆ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ବସିଛି। ଅପରାହ୍ଣରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିବା ବୈଠକରେ ସଦସ୍ୟମାନେ ଯୋଗଦେଇ ସୁଚିନ୍ତିତ ମତାମତ ‌ଦେଇଥିଲେ। ପ୍ରାୟ ତିନି ଘଣ୍ଟା ଧରି ଅନୁଷ୍ଠିତ ବୈଠକରେ ବିକଳ୍ପ ମୂଲ୍ୟାୟନ ନେଇ ବିଶଦ ଆଲୋଚନା ହୋଇଛି। କେଉଁ ପଦ୍ଧତିରେ ମୂଲ୍ୟାୟନ କରାଯାଇପାରିବ ସେନେଇ ପ୍ରତି ସଦସ୍ୟ ନିଜ ନିଜର ମତ ରଖିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କମିଟିକୁ ୧୦ ଦିନ ସମୟ ଦିଆଯାଇଥିବାରୁ ତାହାକୁ ଗୁରୁତ୍ବର ‌ସହ ନିଆଯାଇଛି। ଜୁନ୍‌ ୧୫ ସୁଦ୍ଧା କମିଟି ରିପୋର୍ଟ ଦାଖଲ କରିବ। ପରିଷଦର ଉପାଧ୍ୟକ୍ଷ ତୁଷାରକାନ୍ତୀ ତ୍ରିପାଠୀ କହିଛନ୍ତି ଯେ ବିକଳ୍ପ ମୂଲ୍ୟାୟନ ଲାଗି ଗଠିତ ଏକ୍ସପର୍ଟ କମିଟିର ପ୍ରଥମ ବୈଠକ ସରିଛି। ସଦସ୍ୟମାନେ ଆଜି କେବଳ ସେମାନଙ୍କ ମତାମତ ଦେଇଛନ୍ତି। ପୁଣିଥରେ ବୈଠକ ବସି ଏହା ଉପରେ ଆଲୋଚନା ହେବ।

ଅନ୍ୟପକ୍ଷରେ ପରିଷଦ ପକ୍ଷରୁ ଗଠନ କରାଯାଇଥିବା ବିଶେଷଜ୍ଞ କମିଟିକୁ ନେଇ ଏବେ ଶିକ୍ଷକ ସଙ୍ଗଠନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କେଉଁ ଆଧାରରେ କମିଟି ସଦସ୍ୟଙ୍କୁ ଚୟନ କରାଯାଇଛି ତାହା ସନ୍ଦେହରେ। ଏଥିରେ ଜଣେ ମାତ୍ର ଧନ୍ଦାମୂଳକ ଶିକ୍ଷକଙ୍କୁ ସାମିଲ କରାଯାଇଛି। ୩ ଜଣ କଲେଜ ଅଧ୍ୟକ୍ଷ କମିଟିରେ ରହିଥିଲେ ମଧ୍ୟ ସେମାନେ ଭୁବନେଶ୍ବରର ଏବଂ ନାମକରା କଲେଜର। ଉପାନ୍ତ ତଥା ଛୋଟ କଲେଜର ଜଣେ ବି ହେଲେ ଅଧ୍ୟକ୍ଷଙ୍କୁ କମିଟିରେ ନିଆଯାଇ ନାହିଁ। ପରିଷଦ ଅଧୀନରେ ୩୦୦ରୁ ଅଧିକ ଘରୋଇ କଲେଜ ରହିଥିଲେ ମଧ୍ୟ ଜଣେ ବି ହେଲେ ଅଧ୍ୟକ୍ଷ ଏହି କମିଟିରେ ନାହାନ୍ତି। ଯେତେବେଳେ କି ସିବିଏସ୍‌ଇ ଦ୍ବାରା ଗଠିତ କମିଟିରେ ଦୁଇ ଜଣ ଶିକ୍ଷକ, ନବୋଦୟ ସଙ୍ଗଠନ ଓ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଚେୟାରମ୍ୟାନ୍‌ଙ୍କୁ କମିଟିରେ ସାମିଲ କରିଛି। ପରିଷଦ ଯେଉଁ କମିଟି ଗଠନ କରିଛି ତାହାର ସଦସ୍ୟମାନେ ଏବେ କେବଳ ରାଜ୍ୟ ସରକାରଙ୍କ ହଁରେ ହଁ ମାରିବେ। ପ୍ରଥମ ଦିନରୁ ହିଁ ତାହା ବାରି ହୋଇପଡ଼ିଛି। ବୈଠକରେ କ’ଣ ହେଉଛି ସେ ସମ୍ପର୍କରେ ବାହାରେ ମୁହଁ ନ ଖୋଲିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସଦସ୍ୟଙ୍କୁ କଡ଼ା ତାଗିଦ୍‌ କରାଯାଇଛି। ଏହାକୁ ନେଇ କେ‌ତେଜଣ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଶେଷଜ୍ଞ କମିଟି ପ୍ରସ୍ତାବ ଦେବା ପୂର୍ବରୁ ରାଜ୍ୟର ୩ଟି ଶିକ୍ଷକ ସଙ୍ଗଠନ ରାଜ୍ୟ ସରକାରଙ୍କୁ ବିକଳ୍ପ ମୂଲ୍ୟାୟନର ପ୍ରସ୍ତାବ ଦେବାକୁ ଆଜି ଅଣ୍ଟା ଭିଡ଼ିଛନ୍ତି। ସରକାରୀ କଲେଜ ଶିକ୍ଷକ ସଂଘ, ୬୬୨ ଓ ୪୮୮ ବର୍ଗ ଶିକ୍ଷକ ସଂଘର ନେତୃ ମଣ୍ଡଳୀ ଓ ଅଧ୍ୟାପକମାନେ ଆଜି ସନ୍ଧ୍ୟାରେ ଏକ ୱେବିନାରରେ ଏକାଠି ହୋଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା, ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ଏଥି‌ରେ ସାମିଲ ହୋଇ ମତାମତ ଦେଇଛନ୍ତି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆହୁରି ମତାମତ ଆହ୍ବାନ କରାଯାଇଛି। ତାହାକୁ ତର୍ଜମା କରି ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ରାଜ୍ୟର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ଏହି ସଂଘଗୁଡ଼ିକ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦେବାକୁ ସ୍ଥିର କରିଛନ୍ତି। ବୈଠକରେ ୬୬୨ ବର୍ଗର ସମ୍ପାଦକ ଗଗନ ବେଉରା, ସରକାରୀ କଲେଜ ଶିକ୍ଷକ ସଂଘ ସଭାପତି ମାନସ ବେହେରା, ୬୬୨ ବର୍ଗର ସଭାପତି ଗୋଲକ ନାୟକ, ୪୮୮ ବର୍ଗର ପବିତ୍ର ମାହାଲା, ଦେବାଶିଷ ମହାନ୍ତି, ଅଟଳ ବଳ, ରଞ୍ଜନ ପାଢ଼ୀ, ଶଙ୍କୁନ୍ତଳା ଜେନା, ତପନ ଜେନା, ବିଶ୍ବଜିତ୍‌ ପ୍ରଧାନ, ଆଦିତ୍ୟ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର