ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ : ବଢ଼ିଲା ପାସ୍‌ହାର, ନୟାଗଡ଼ର ସିତୁ ବେହେରା ଟପର୍‌

ନୟାଗଡ଼ ଆଗରେ, ଦେବଗଡ଼ ପଛରେ, ୪୦ ଛାତ୍ରଛାତ୍ରୀ ରଖିଛନ୍ତି ୯୦%ରୁ ଅଧିକ, ୨୯ କଲେଜ‌ରେ ଶତ ପ୍ରତିଶତ ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୧୯ ତୁଳନାରେ ଏଥର ପାସ୍‌ହାର ୪.୬୯% ବୃଦ୍ଧି ପାଇଛି। ଗତବର୍ଷ ପାସ୍‌ହାର ୭୦.୨୬% ଥିବା ବେଳେ ଏଥର ତାହା ୭୪.୯୫%କୁ ବୃଦ୍ଧି ପାଇଛି। ପାସ୍‌ହାର ବଢ଼ିବା ସହ ‌ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୪୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ପ୍ରଥମ ଶ୍ରେଣୀରେ ୬ ହଜାର ୬୧୦ ଜଣ ପାସ୍‌ କରିଥିବା ବେଳେ ୪ ହଜାର ୨୫୯ ଜଣ ଦ୍ବିତୀୟ ଓ ୮ ହଜାର ୩୬୧ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୨୫ ହଜାର ୭୭୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ହଜାର ୩୧୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ରେଗୁଲାରରେ ୨୩ ହଜାର ୧୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୮ ହଜାର ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୨ ହଜାର ୫୯୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୮୦ ଜଣ ପାସ୍‌ କରିଛନ୍ତି।

ବିଜ୍ଞାନ ପରି ବାଣିଜ୍ୟ ବିଭାଗରେ ବି ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୮୮.୭୦% ହୋଇଛି। ଦେବଗଡ଼ ଜିଲ୍ଲାର ପାସ୍‌ହାର ଲଗାତାର ୪ର୍ଥ ବର୍ଷ ଲାଗି ତଳେ ରହିଛି। ଏହି ଜିଲ୍ଲାରେ ପାସ୍‌ହାର ୩୪.୧୭% ହୋଇଛି। ଗତବର୍ଷ ୨୫ଟି କଲେଜର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଏଥରକ ୨୯ଟି କଲେଜର ସମସ୍ତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ୨ଟି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଛି। ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଛାତ୍ର ସିତୁ ବେହେରା ୬୦୦ରୁ ୫୬୭ ନମ୍ବର ରଖି ରାଜ୍ୟରେ ଟପର‌୍‌ ହୋଇଛନ୍ତି। ଉକ୍ତ କଲେଜର ଛାତ୍ରୀ ମନଶ୍ବେତା ମହାନ୍ତି ୫୬୨ ନମ୍ବର ରଖି ଦ୍ବିତୀୟ, ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ର ରାହୁଲ ପ୍ରସନ୍ନ ସାହୁ ୫୬୧ ନମ୍ବର ରଖି ତୃତୀୟ, ରେଭେନ୍ସା କଲେଜର ଛାତ୍ର ନିକୁଞ୍ଜ ଅଗ୍ରୱାଲ ୫୫୯ ନମ୍ବର ରଖି ୪ର୍ଥ, କେନ୍ଦ୍ରାପଡ଼ା ଯୁକ୍ତ୨ କଲେଜର ସୁନୀଲ୍‌ ପଣ୍ଡା ଓ ଭୁବନେଶ୍ବରସ୍ଥିତ ବିଜେବି ‌ଯୁକ୍ତ୨ କଲେଜର ଛାତ୍ରୀ ଆଦ୍ୟାଶା ନନ୍ଦିନୀ ଯୁଗ୍ମ ଭାବେ ୫୫୫ ନମ୍ବର ରଖି ୫ମ ସ୍ଥାନରେ ରହିଛନ୍ତି। ୧ ହଜାର ୬୪ ଜଣ ୮୦%ରୁ ଅଧିକ ଓ ୨ ହଜାର ୨୫୮ ଜଣ ୭୦%ରୁ ଅଧିକ ମାର୍କ ରଖିଛନ୍ତି। କମ୍ପାର୍ଟମେଣ୍ଟାଲରେ ୮୮ ଜଣରହିଛନ୍ତି। ବାଣିଜ୍ୟରେ ବି ଛାତ୍ରଙ୍କୁ ପଛରେ ପକାଇଛାତ୍ରୀମାନେ ବାଜିମାତ୍‌ କରିଛନ୍ତି। ଚଳିତବର୍ଷ ୧୬ ହଜାର ୬୪୮ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୨ ହଜାର ୨୧୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୩.୩୭% ରହିଛି। ୩,୮୩୮ ଜଣ ପ୍ରଥମ, ୨,୬୪୧ ଜଣ ଦ୍ବିତୀୟ ଓ ୫,୬୭୮ ଜଣ ଛାତ୍ର ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୯ ହଜାର ୧୨୪ ଛାତ୍ରୀଙ୍କ ମଧ୍ୟରୁ ୭ ହଜାର ୧୦୩ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୭୭.୮% ହୋଇଛି। ୨ ହଜାର ୭୭୨ ଜଣ ପ୍ରଥମ, ୧ ହଜାର ୬୧୮ ଦ୍ବିତୀୟ ଓ ୨ ହଜାର ୬୮୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁସୂଚିତ ଜାତି ବର୍ଗର ୨ ହଜାର ୬୫୦ ଜଣ ପରୀକ୍ଷା ଦେଇଥିବା ବେଳେ ୧ ହଜାର ୭୮୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୬୭.୨୦% ରହିଛି। ଅନୁସୂଚିତ ଜନଜାତି ବର୍ଗରେ ପରୀକ୍ଷା ଦେଇଥିବା ୩ ହଜାର ୯୫୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୫୯୪ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୬୫.୬୩% ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭର୍ଚୁଆଲ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭୂପିନ୍ଦର ସିଂ ପୁନିଆ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା,ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ପରିଷଦର ଉପାଧ୍ୟକ୍ଷ ବୃନ୍ଦାବନ ଶତପଥୀ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର