ଝୁଲିରହିଲା ଯୁକ୍ତ୨ ବାକି ପରୀକ୍ଷା, ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ବର : ସିବିଏସ୍‌ଇ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ପରୀକ୍ଷା ବାତିଲ୍‌ ହୋଇଛି। ସିଆଇଏସ୍‌ସିଇ ଦ୍ବାରା ପରିଚାଳିତ ବିଦ୍ୟାଳୟର ପରୀକ୍ଷାଗୁଡ଼ିକ ମଧ୍ୟ ଅନୁରୂପ ଭାବେ ବାତିଲ୍‌ କରାଯାଇଛି। କରୋନା ସଂକ୍ରମଣର ବର୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨)ର ବାକି ରହିଯାଇଥିବା ପରୀକ୍ଷା‌ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ। ତେବେ ବର୍ତମାନ ସ୍ଥିତିରେ ତହା ସମ୍ଭବପର ହେଲା ଭଳି ମନେ ହେଉନାହିଁ। ଏମିତିକି ସିବିଏସ୍‌ଇ ପରି ଯୁକ୍ତ୨ ପରୀକ୍ଷାକୁ ବାତିଲ୍‌ କରିବାକୁ ଚିନ୍ତା କରାଯାଉଛି। ଆସନ୍ତା ଦୁଇ ତିନି ମଧ୍ୟରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ଯୁକ୍ତ୨ର ବାକି ପରୀକ୍ଷା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଯୁକ୍ତ୨ର ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା। ତେବେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମତାମତ ପାଇଁ ପଠାଇଛୁ। ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଖୁବ୍‌ଶୀଘ୍ର ସ୍ଥିତିର ସମୀକ୍ଷା କରାଯାଇ ଘୋଷଣା କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ବାତିଲ ହୋଇଥିବାରୁ ବର୍ତମାନ ପରିସ୍ଥିତିରେ ପରୀକ୍ଷା କରିବା ସମ୍ଭବପର ହେବନି। ଏବେ ବି ୬୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ହୋଇଛି। ସିବିଏସ୍‌ଇ ଯେଉଁ ଢାଞ୍ଚାରେ ଖାତା ମୂଲ୍ୟାୟନ କରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବ ସେହି ପଦ୍ଧତିକୁ ଆମେ ଆପଣାଇବୁ। ତେବେ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସ୍କୁଲ ଖୋଲିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଜୁଲାଇରେ ସ୍କୁଲ ଖୋଲିବ ନାହିଁ। ଜୁଲାଇ ୩୧ ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର