+୨ର ବାକି ପରୀକ୍ଷା ହେବ କି ନାହିଁ ସ୍ପଷ୍ଟ କରୁନାହାନ୍ତି ସରକାର

ସିବିଏସ୍‌ଇ ପନ୍ଥାକୁ ଆପଣାଇବ କି ସିଏଚ୍‌ଏସ୍‌ଇ
ଜୁଲାଇ ୧ରୁ ହେବ ବୋଲି କହିଥିବା ଗଣଶିକ୍ଷା ମନ୍ତ୍ରୀ ଚୁପ୍‌
ଦ୍ବନ୍ଦ୍ବରେ ଲକ୍ଷାଧିକ ପରୀକ୍ଷାର୍ଥୀ ଓ ଅଭିଭାବକ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ବାକି ବିଷୟ ପରୀକ୍ଷା ହେବ ନା ନାହିଁ? ଯଦି ହେବ ତେବେ କେବେ? ଯଦି ନ ହେବ ତେବେ ଏନେଇ ‌କାହିଁକି ଘୋଷଣା ହେଉନି? ଯଦି ପରୀକ୍ଷା ବାତିଲ୍‌ ହୁଏ ତେବେ ମୂଲ୍ୟାୟନ କେମିତି କରାଯିବ? ପରୀକ୍ଷାର୍ଥୀଙ୍କୁ କେଉଁଭଳି ଭାବେ ବାକି ବିଷୟରେ ମାର୍କ ପ୍ରଦାନ କରାଯିବ? ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ପନ୍ଥାକୁ ଆପଣାଇବ କି ସିଏଚ୍‌ଏସ୍‌ଇ? ସିବିଏସ୍‌ଇ ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ବିଷୟ ପରୀକ୍ଷା ବାତିଲ୍‌ ହେବା ପରେ ସିଏଚ୍‌ଏସ୍‌ଇ ଅଧୀନରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ ଗତ ମେ’ ୧୯ ତାରିଖରେ ଏକ ସମୀକ୍ଷା ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ଯୁକ୍ତ୨ର ବାକି ଥିବା ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା ହେବ ସେନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ। ଉକ୍ତ ବିଷୟଗୁଡ଼ିକର ପରୀକ୍ଷା ଶେଷ ହେବା ପାଇଁ ପ୍ରାୟ ୭ ଦିନ ଲାଗିବ। ଜୁଲାଇ ସୁଦ୍ଧା ସମସ୍ତ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଶେଷ କରି ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜୁଲାଇ ୧କୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ଦାଶ କିମ୍ବା ରାଜ୍ୟ ସରକାର ବାକି ୨୩ଟି ବିଷୟର ପରୀକ୍ଷା ନେଇ କୌଣସି ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ଏମିତିକି ଗତ ଗୁରୁବାର ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମକୁ କହିଥି‌ଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରୀକ୍ଷା ତାରିଖ ନେଇ ଘୋଷଣା କରିବ। ଏମିତି ଢଙ୍ଗରେ ମତ ଦେଇ ମନ୍ତ୍ରୀ ଶ୍ରୀ ଦାଶ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ‌ହେଲେ ଏହାକୁ ନେଇ ଲକ୍ଷାଧିକ ପରୀକ୍ଷାର୍ଥୀ ଏବେ ଚିନ୍ତାରେ।

ପରୀକ୍ଷାର୍ଥୀ ସୁମନ୍ତ ପଣ୍ଡାଙ୍କ କହିବାନୁଯାୟୀ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବରେ ଅଛୁ। ଏବେ ବି ପଢ଼ାପଢ଼ି ଜାରି ରଖିଛୁ। ଜୁନ୍‌ ୧୮ରୁ ୨୩ ମଧ୍ୟରେ ଜେଇଇ ମେନ୍‌ ଅନୁଷ୍ଠିତ ହେବାକୁ ଥିବାରୁ ସେଥିପାଇଁ ପ୍ରସ୍ତୁତ ହୋଇପାରୁନୁ। ପରୀକ୍ଷା ହେବ କି ନାହିଁ ଏସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିଗଲେ ଆମେ ଜେଇଇ ମେନ୍‌ ଉପରେ ଧ୍ୟାନ ଦେବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରୁଛୁ କରୋନା ସମୟରେ ଆଉ ଆମ ଭବିଷ୍ୟତ ସହ ନ ଖେଳନ୍ତୁ। ପରୀକ୍ଷା ହେବ କି ନାହିଁ ତୁରନ୍ତ ସ୍ପଷ୍ଟ କରନ୍ତୁ।

ଅଭିଭାବକ ଅମରେଶ ମହାନ୍ତିଙ୍କ କହିବାନୁଯାୟୀ ଯଦି ପରୀକ୍ଷା ନ ‌କରିବେ ତେବେ ଘୋଷଣା କରିବାକୁ କାହିଁକି ବିଳମ୍ବ କରୁଛନ୍ତି? ଏହାଦ୍ବାରା ପିଲାମାନେ ମାନସିକ ଭାରସାମ୍ୟ ହରାଉଛନ୍ତି। ଜେଇଇ ମେନ୍‌, ନିଟ୍‌ ପରୀକ୍ଷା ଲାଗି ମନନିବେଶ କରିପାରୁ ନାହାନ୍ତି। ସବୁବେଳେ ତରବର ହୋଇ ମୁହଁ ଖୋଲୁଥିବା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଚୁପ୍‌ କାହିଁକି? ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଆଙ୍ଗୁଠି ଦେଖାଇ ଚୁପ୍‌ ରହିଗଲେ ହେବନି। ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ନିଷ୍ପତ୍ତି ନିଆଯାଉ।

ଯୁକ୍ତ୨ ପରୀକ୍ଷା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଯୋଗ‌ାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ଉଠାଇ ନ ଥିଲେ କି ଉତ୍ତର ଦେଇ ନ ଥିଲେ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଲୋକସେବା ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଯୁକ୍ତ୨ ବାକି ପରୀକ୍ଷା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର