ଝୁଲି ରହିଲା ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି

୬ ଘଣ୍ଟାରେ ବସିଲା ୪ଟା ବୈଠକ
ପରୀକ୍ଷା ବାତିଲ୍‌ ସପକ୍ଷରେ ଅଧିକାଂଶ ମତ
ଆଜି ଘୋଷଣା ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ବାକି ବିଷୟର ପରୀକ୍ଷା ହେବା ନେଇ ଆଜି ବି କୌଣସି ନିଷ୍ପତ୍ତି ହୋଇପାରିଲାନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ବରିଷ୍ଠ ଅଧିକାରୀଙ୍କୁ ନେଇ ୬ଘଣ୍ଟା ଧରି ମାନସମନ୍ଥନ ହୋଇଥିଲେ ମଧ୍ୟ ବାଟ ବାହାରିପାରି ନାହିଁ। ୬ଘଣ୍ଟାରେ ୪ଥର ବୈଠକ ବସିବା ସହ ଶିକ୍ଷାବିତ୍‌, ଶିକ୍ଷକ, ଅଭିଭାବକ, କେତେକ କଲେଜ ଅଧ୍ୟକ୍ଷଙ୍କ ମତାମତ ବି ଲୋଡ଼ା ‌ଯାଇଥିଲା। ତା’ପରେ ବି ପରୀକ୍ଷା ହେବ କି ନାହିଁ, ସେ ସଂପର୍କରେ ଘୋଷଣା‌ ହେଲା ନାହିଁ।

ପରୀକ୍ଷା ନିଷ୍ପତ୍ତି ବିଳମ୍ବ ହେଉଥିବା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ସିଏଚ୍‌ଏସ୍‌ଇର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ସାମିଲ ହୋଇ ବାକି ଥିବା ପରୀକ୍ଷା ଉପରେ ମତ ରହିଥିଲେ। ପରୀକ୍ଷା ହେଲେ କ’ଣ ସୁବିଧା ଅସୁବିଧା ହେବ, ସେନେଇ ବ୍ୟାପକ ଆଲୋଚନା ମଧ୍ୟ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସିବିଏସ୍‌ଇର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ସମ୍ପର୍କରେ ବିଚାରବିମର୍ଶ ‌କରାଯାଇଥିଲା। ଅନ୍ୟ କେତେକ ରାଜ୍ୟ ସରକାର ମଧ୍ୟ ସିବିଏସ୍‌ଇ ବୋର୍ଡ ନିଷ୍ପତ୍ତି ଆଧାରରେ ପରୀକ୍ଷା ବାତିଲ୍‌ କରିସାରିଥିବା ବୈଠକରେ କୁହାଯାଇଥିଲା।

ଆଲୋଚନା ସମୟରେ ସିଏଚ୍‌ଏସ୍‌ଇ କର୍ତୃପକ୍ଷ ଏକ ହଜାରରୁ ଅଧିକ ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜ୍‌ ଉପସ୍ଥାପିତ କରିଥି‌ଲେ, ଯେଉଁଥିରେ ପରୀକ୍ଷା ବାତିଲ୍‌ ହେଲେ କ’ଣ ସବୁ କରିବାକୁ ପଡ଼ିବ, ସେନେଇ ଉଲ୍ଲେଖ ରହିଥିଲା। ଯେଉଁ ପରୀକ୍ଷାର୍ଥୀଙ୍କର ପରୀକ୍ଷା ଶେଷ ହୋଇଛି, ସେମାନଙ୍କ ଫଳ ପ୍ରକାଶ କରିବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ଯେଉଁମାନଙ୍କର ପରୀକ୍ଷା ବାକି ରହିଛି, ତାହାର ମୂଲ୍ୟାୟନ କିଭଳି କରାଯିବ, ସେନେଇ ତଥ୍ୟ ରଖାଯାଇଥିଲା। ଯଦି ସିବିଏସ୍‌ଇ ଢାଞ୍ଚାରେ କରାଯାଏ, ତେବେ କୌଣସି ଅସୁବିଧା ହେବନି। ତେବେ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା ଦେବାକୁ ପଡ଼ିବ। ଏକ୍ଷେତ୍ରରେ କରୋନା ସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଚାହିଁଲେ, ସେଥିରେ ଭାଗ ନେଇ ମାର୍କ ବଢ଼ାଇ ପାରିବେ। ବୈଠକ ବେଳେ ପରୀକ୍ଷା ହେବା ନେଇ ବି କିଛି ଅଧିକାରୀ ମତ ରଖିଥିଲେ। ତେବେ ଅଧିକାଂଶ ମତ ପରୀକ୍ଷା‌ ବାତିଲ୍‌ ସପକ୍ଷରେ ଆସିଥିବା ଜଣାପଡ଼ିଛି।

ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ପାରିବାରୁ ‌ବିଭାଗୀୟ ଅଧିକାରୀମାନେ ଶେଷରେ ଶିକ୍ଷାବିତ୍‌, କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ମତ ଲୋଡ଼ିଥିଲେ। ସେମାନଙ୍କ ମତାମତ ଗ୍ରହଣ କରାଯିବା ସହ ବୈଠକରେ ଆଲୋଚନା କରାଯାଇଥିଲା। ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୌଣସି ଚୂଡ଼ାନ୍ତ ସିଦ୍ଧାନ୍ତରେ ପହଞ୍ଚି ପାରିନୁ। ଆଉ କିଛି ଦ୍ବନ୍ଦ୍ବ ରହିଛି। ତାହାକୁ ଦୂର କରିବା ଲାଗି ପରିଷଦଠାରୁ ତଥ୍ୟ ମଗାଯାଇଛି। ସେମାନେ ମଙ୍ଗଳବାର ସକାଳ ସୁଦ୍ଧା ତଥ୍ୟ ଦେବେ। ଆଉ ଥରେ ବିଚାର ଆଲୋଚନା କରାଯିବା ପରେ ଅପରାହ୍‌ଣ ସୁଦ୍ଧା ପରୀକ୍ଷା ନେଇ ଚୂଡ଼ାନ୍ତ ଘୋଷଣା ହୋଇପାରେ।

ସମ୍ବନ୍ଧିତ ଖବର