ଯୁକ୍ତ୨ ବାକି ପରୀକ୍ଷା ହେବ! ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଅଧାରୁ ସ୍ଥଗିତ ରହିଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ବାତିଲ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସୋସିଆଲ ମିଡିଆରେ ପ୍ରକାଶିତ ବିଭିନ୍ନ ଖବର ଉପରେ ପରୀକ୍ଷାର୍ଥୀ ବିଶ୍ୱାସ କରନ୍ତୁ ନାହିଁ। ବାକି ଥିବା ବିଷୟଗୁଡିକର ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। ପରୀକ୍ଷାର ୧୦ ଦିନ ପୂର୍ବରୁ ତାରିଖ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଲକ୍‌ଡାଉନ ପରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରିବାକୁ ବିଭାଗ ପ୍ରସ୍ତୁତ ରହିଛି। ତେବେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ଲକ୍‌ଡାଉନ ଉଠିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ବାକି ଥିବା ବିଷୟଗୁଡିକର ପରୀକ୍ଷା କରାଯିବ। ପରୀକ୍ଷା ପରିଚାଳନା ବେଳେ ସାମାଜିକ ଦୂରତା ନିୟମର ପାଳନ ହେବ। ଯେଉଁ କିଛି କଲେଜ ତଥା ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି ସେଠାରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ସବୁ ଆଡୁ ବିଚାରକୁ ନିଆଯାଇ ପରୀକ୍ଷା କେନ୍ଦ୍ର ଚୟନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଯୁକ୍ତ୨ର ବାକି ପରୀକ୍ଷା ହେବ। ଆମେ ପରୀକ୍ଷା କରିବୁ, ଯଦି ପରୀକ୍ଷା ନ କରିବୁ ପିଲାମାନେ ଠିକ ଭାବେ କଲେଜରେ ନାମ ଲେଖାଇ ପାରିବେ ନାହିଁ। ଲକ୍‌ଡାଉନ ଉଠିଲା ପରେ କେନ୍ଦ୍ର ସରକାରଙ୍କ ମତାମତ ପରେ ନିଷ୍ପତ୍ତି ନିଆଯିବ। ୧୦ ଦିନ ପୂର୍ବରୁ ନୋଟିସ ଦେଇ ପରୀକ୍ଷା କରାଯିବ। ବହୁତ ସମୟ ଅଛି, ପିଲାମାନେ ପ୍ରସ୍ତୁତ ହୁଅନ୍ତୁ। କେନ୍ଦ୍ର ପରୀକ୍ଷା କରିବ ଆମେ କରିବୁ ନାହିଁ ତେବେ ଆମ ପିଲା ବହୁ ଅସୁବିଧାରେ ପଡିବେ। ତେଣୁ ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ।

ସମ୍ବନ୍ଧିତ ଖବର