ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷାର ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ’ ୧୮ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଲାଗି ଏହି ପର୍ଯ୍ୟାୟରେ ପ୍ରଶ୍ନପତ୍ର ପଠାଯିବ। କେଉଁ ଦିନ କେଉଁ ବିଷୟର କେତେ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, ସେନେଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ମଗାଯାଇଛି। ସମସ୍ତ ଟ୍ୟାଗ୍‌ଡ କଲେଜଗୁଡ଼ିକ ୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ରର ଆବଶ୍ୟକତା ସମ୍ପର୍କରେ ପରୀକ୍ଷା କେନ୍ଦ୍ର/ଉପକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଜଣାଇବେ। ୮ ତାରିଖ ସୁଦ୍ଧା ଉପକେନ୍ଦ୍ରଗୁଡ଼ିକ ସେମାନଙ୍କ ପରୀକ୍ଷା କେନ୍ଦ୍ର ଅଧିକାରୀଙ୍କୁ ଏବଂ ୧୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକ ଏନେଇ ପରୀକ୍ଷା ପରିଚାଳନା ହବ୍‌କୁ ଅବଗତ କରିବେ।

Advertisment

ହବ୍‌ର ସୁପରଭାଇଜର୍‌ ଏ ଦିଗରେ ପଦକ୍ଷେପ ନେବା ସହ ଏହା ଅଧୀନ ସମସ୍ତ କେନ୍ଦ୍ରରେ ଆବଶ୍ୟକ ପ୍ରଶ୍ନପତ୍ର ସମ୍ପର୍କରେ ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇବେ। କୌଣସି ପରୀକ୍ଷା କେନ୍ଦ୍ର ଯଦି ଭୁଲ୍‌ ତଥ୍ୟ ଦେଇଥା’ନ୍ତି କିମ୍ବା ତଥ୍ୟ ଦେବାରେ ବିଳମ୍ବ କରନ୍ତି, ସେଥିପାଇଁ ପରିଷଦ ଦାୟୀ ରହିବ ନାହିଁ। ପ୍ରଶ୍ନପତ୍ର କମ୍‌ ରହିଲେ, ସେ ସମ୍ପର୍କରେ କୌଣସି କଲେଜ କର୍ତ୍ତୃପକ୍ଷ ସିଧାସଳଖ ପରିଷଦକୁ ଯୋଗଯୋଗ କରିପାରିବେ ନାହିଁ। ଏ କ୍ଷେତ୍ରରେ କେବଳ ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜର୍‌ ଇ-ମେଲ୍‌ ମାଧ୍ୟମରେ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କୁ ଯୋଗାଯୋଗ କରିବେ। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ମେ’ ୧୪ଠାରୁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବା କାର୍ଯ୍ୟ ଆରମ୍ଭ ହେବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।