ଆଶା ଆଶଙ୍କାରେ +୨ ସ୍ଥଗିତ ପରୀକ୍ଷା : ପରୀକ୍ଷା କେନ୍ଦ୍ର ଏବେ ସଙ୍ଗରୋଧ କେନ୍ଦ୍ର

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଅଧାରେ ବନ୍ଦ ରହିଛି ଯୁକ୍ତ୨ ଥିଓରି ପରୀକ୍ଷା। ପରୀକ୍ଷା ଆଉ ହେବ କି ନାହିଁ? ଯଦି ପରୀକ୍ଷା ବାତିଲ ହୁଏ, ତେବେ ଫଳ କିଭଳି ପ୍ରକାଶ ପାଇବ? ମୂଲ୍ୟାୟନ କେଉଁ ଆଧାରରେ ହେବ? ପରୀକ୍ଷାର୍ଥୀ, ଅଧ୍ୟାପକ ଓ ଅଭିଭାବକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏକ ରୋଚକ ଖବର ଦୃଷ୍ଟିକୁ ଆସିଛି। ପରୀକ୍ଷା କେନ୍ଦ୍ର ହୋଇଥିବା କିଛି କଲେଜରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଓଡ଼ିଆଙ୍କୁ ସେଠାରେ ୧୪ ଦିନିଆ କ୍ୱାରାଣ୍ଟିନ୍‌ରେ ରଖାଯାଉଛି। ପାଖାପାଖି ଏକ ମାସ ହେଲା ଏଭଳି ଚାଲିଛି। ମେ’ ୩ ପରେ ଯଦି ଲକ୍‌ଡାଉନ୍‌ ଖୋଲେ କିମ୍ବା ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକଙ୍କୁ ଉକ୍ତ କ୍ୱାରାଣ୍ଟିନ୍‌ ସେଣ୍ଟର୍‌ରେ ରଖାଯାଏ, ତେବେ ଯୁକ୍ତ୨ ପରୀକ୍ଷା କେମିତି ହେବ, ଛାତ୍ରଛାତ୍ରୀ କେଉଁଠି ପରୀକ୍ଷା ଦେବେ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର କିଛି ବିଷୟର ପରୀକ୍ଷା ହୋଇପାରି ନଥିଲା। କରୋନା ସଂକ୍ରମଣ ବ୍ୟାପୁ ଥିବାରୁ ମାର୍ଚ୍ଚ ୨୧ରୁ ସମସ୍ତ ବିଷୟର ପରୀକ୍ଷାକୁ ପରିଷଦ ପକ୍ଷରୁ ସ୍ଥଗିତ ରଖାଯାଇଛି। ବିଜ୍ଞାନ ବିଭାଗର ଜୀବବିଜ୍ଞାନ, ପରିସଂଖ୍ୟାନ ଭଳି କିଛି ବିଷୟରେ ପରୀକ୍ଷା ହୋଇ ପାରି ନଥିବା ବେଳେ ବାଣିଜ୍ୟ ବିଭାଗର ଗ୍ରାମାଞ୍ଚଳ ବିକାଶ(ଆର୍‌ଡି),ବିଜନେସ୍‌ ଇକୋନୋମିକ୍ସ, ଇନ୍‌ସ୍ୟୁରାନ୍ସ, କଳାରେ ଅର୍ଥନୀତି, ତର୍କଶାସ୍ତ୍ର, ଭୂଗୋଳ, ସମାଜବିଜ୍ଞାନ, ମାନବ ବିଜ୍ଞାନ ଭଳି ବିଷୟରେ ପରୀକ୍ଷା ହୋଇ ପାରିନାହିଁ। ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ମଧ୍ୟ କିଛି ପରୀକ୍ଷା ସ୍ଥଗିତ ରହିଛି। ମାତ୍ର ୬ ଦିନର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହି ସମସ୍ତ ବିଷୟର ପରୀକ୍ଷାର ପୁନର୍ବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରି ପରୀକ୍ଷା ପରିଚାଳନା କରିବା ସହ ଫଳ ପ୍ରକାଶ କରିବା ଗଣଶିକ୍ଷା ବିଭାଗ ପାଇଁ ଏବେ ସମସ୍ୟା ସୃଷ୍ଟି କରିଛି।

ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଯେଉଁ କଲେଜରେ ପରୀକ୍ଷା କେନ୍ଦ୍ର ହୋଇଥିଲା, ସେଥିମଧ୍ୟରୁ ୭୨ଟି କଲେଜରେ କ୍ୱାରାଣ୍ଟିନ୍‌ ସେଣ୍ଟର୍‌ କରାଯାଇଛି। କିଛି କଲେଜରେ ଏବେ ଲୋକ ରହୁଛନ୍ତି। ମେ’ ୩ ପରେ ଯଦି ରାଜ୍ୟ ବହାରରୁ ଓଡ଼ିଆ ଶ୍ରମିକ ଫେରିବେ, ତେବେ ସେମାନଙ୍କୁ ଉକ୍ତ ସେଣ୍ଟର୍‌ରେ ରଖାଯିବ। ଫଳରେ ଯୁକ୍ତ୨ର ବାକିଥିବା ବିଷୟଗୁଡ଼ିକର ପରୀକ୍ଷା କରିବା ସମ୍ଭବପର ହେବ ନାହିଁ। କେବଳ ପରୀକ୍ଷା ନୁହେଁ, ମୂଲ୍ୟାୟନ ଆରମ୍ଭ ନ ହେଉଣୁ ସମସ୍ୟା ଦେଖାଦେଇଛି। କାରଣ ଇ-ମୂଲ୍ୟାୟନ ପାଇଁ ଯେଉଁ କେନ୍ଦ୍ରଗୁଡ଼ିକ ବୁକିଂ ହୋଇଥିଲା, ସେଠାରୁ ପୁଣି ଥରେ ଅନୁମତି ଆଣିବାକୁ ହେବ। ଏପ୍ରିଲ ଓ ମେ’ ମାସରେ ମୁଖ୍ୟତଃ ଛୁଟି ହେଉଥିବାରୁ ଏହି ସମୟରେ ଘରୋଇ କଲେଜ ଓ ବିଭିନ୍ନ ଆଇଟି ସଂସ୍ଥାର ଭିତ୍ତିଭୂମି ବ୍ୟବହାର କରାଯାଇ ମୂଲ୍ୟାୟନ କରାଯାଇଥାଏ। ଏଥର କିନ୍ତୁ ସମସ୍ୟା ସୃଷ୍ଟି ହୋଇଛି। ଉକ୍ତ କଲେଜ ଓ ସଂସ୍ଥା ଏବେ ଭିତ୍ତିଭୂମି ଦେବେ କି ନାହିଁ, ତାହା ବି ଚିନ୍ତା ବଢ଼ାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ବାକି ପରୀକ୍ଷା ନହୁଏ, ତେବେ ମେ’ ତୃତୀୟ ସପ୍ତାହରୁ ମୂଲ୍ୟାୟନ ହେବ।

ମୂଲ୍ୟାୟନ କେନ୍ଦ୍ର ଓ ମୂଲ୍ୟାୟନକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରଖାଯିବା ସହ ମାସ୍କ ଓ ସାନିଟାଇଜେସନ୍‌ ଉପରେ ପ୍ରାଥମିକତା ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯୁକ୍ତ୨ର ଅବଶିଷ୍ଟ ପରୀକ୍ଷା ବନ୍ଦ କରିବା ପାଇଁ ବିଭିନ୍ନ ଆଡ଼ୁ ପ୍ରସ୍ତାବ ଆସିଛି। ବିଭାଗ ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରୁଛି। ଚଳିତ ସପ୍ତାହରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ହିତ ପାଇଁ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର