ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି ଝୁଲିଲା, ୫ ଥର ବୈଠକ ପରେ ନିଷ୍କର୍ସ ବାହାରି ପାରିଲାନି

ଆଜି ପୁଣି ବୈଠକ, ବାତିଲ୍‌ ନେଇ ଘୋଷଣା ହୋଇପାରେ

ବିକଳ୍ପ ମୂଲ୍ୟାୟନ ଓ ଯୁକ୍ତ୩ ନାମଲେଖା ସମସ୍ୟା

ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ପରେ ଓଡ଼ିଶା ସରକାର କ’ଣ ପଦକ୍ଷେପ ନେବେ। ଯୁକ୍ତ୨ ପରୀକ୍ଷା ବାତିଲ୍‌ କରିବେ ନା ନାହିଁ? ତାହାକୁ ନେଇ ଆଜି ଦିନତମାମ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଘନ ଘନ ବୈଠକ କରିଥିଲେ। ହାତଗଣତି ଅଧିକାରୀଙ୍କୁ ନେଇ ୮ ଘଣ୍ଟା ମଧ୍ୟରେ ୫ ଥର ବୈଠକ ହୋଇଛି। ତା’ପରେ ବି ନିଷ୍କର୍ସ ବାହାରିପାରି ନାହିଁ। ପରୀକ୍ଷା ବାତିଲ୍‌ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଥିଲେ ମଧ୍ୟ ବିକଳ୍ପ ମୂଲ୍ୟାୟନର ବାଟ ପାଉନାହାନ୍ତି। କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ତାହା ଏବେ ସମସ୍ୟା ଭାବେ ଉଭା ହୋଇଛି। ଦୁଇ ବର୍ଷ ଧରି ପିଲାମାନେ ପଢ଼ୁଥିଲେ ମଧ୍ୟ ଗଣଶିକ୍ଷ‌ା ବିଭାଗ କିମ୍ବା ପରିଷଦ ନିକଟରେ କୌଣସି ବି ପରୀକ୍ଷାର ମାର୍କ ନାହିଁ। ଅବଶ୍ୟ କେତେକ କଲେଜ ପ୍ରଥମ ବର୍ଷରେ ପିଲାଙ୍କ ପରୀକ୍ଷା କରାଇଥିବା ଜଣାପଡ଼ିଛି। ଯାହାକୁ ଆଧାର କରି ମାର୍କ ପ୍ରଦାନ କରାଯାଇପାରେ। ସେପଟେ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ରାଜ୍ୟର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି। ପରୀକ୍ଷା ସମ୍ପର୍କରେ ଜାଣିବା ଲାଗି ଆଜି ଦିନ ତମାମ ସେମାନେ ପରିଷଦ କାର୍ଯ୍ୟାଳୟକୁ ଫୋନ୍‌ କରିଥିବା ଜଣାପଡ଼ିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକଙ୍କୁ ନେଇ ଆଜି ଦିନ ତମାମ ଭର୍ଚୁଆଲ ବୈଠକ ହୋଇଥିଲା। ପୂର୍ବାହ୍ନରେ ସିବିଏସ୍‌ଇ କର୍ତୃପକ୍ଷଙ୍କ ସହ ଆଲୋଚନା କରି ବିକଳ୍ପ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ପଚାରି ବୁଝିବାକୁ ଗଣଶିକ୍ଷ‌ା ବିଭାଗର ଜୈନିକ ଅଧିକାରୀଙ୍କୁ କୁହାଯାଇଥିଲା। ତାଙ୍କଠାରୁ ଉତ୍ତର ମିଳିବା ପରେ ଅପରାହ୍ଣରେ ପୁଣିଥରେ ବୈଠକ ବସି ବିକଳ୍ପ ମୂଲ୍ୟାୟନ ବିଷୟରେ ଆଲୋଚନା ହୋଇଥିଲା। କେତେଜଣ ଶିକ୍ଷାବିତ୍‌ଙ୍କ ମତାମତ ମଧ୍ୟ ଲୋଡ଼ା ଯାଇଥିଲା। କ’ଣ କଲେ ଛାତ୍ରଛାତ୍ରୀ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେ ବିଷୟରେ ବିଚାରବିମର୍ଶ ହୋଇଛି। ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆଉ ଏକ ବୈଠକ ହୋଇ ପରୀକ୍ଷା ବାତିଲ୍‌ ସମ୍ପର୍କ‌ରେ ଆଲୋଚନା କରାଯାଇଥିଲା। ତେବେ ନିସ୍କର୍ସ ବାହାରିପାରି ନାହିଁ।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ୯୦%ରୁ ଅଧିକ କଲେଜ ଏକାଦଶ ଶ୍ରେଣୀରେ ପରୀକ୍ଷା କରିଛନ୍ତି। ଅଧିକାଂଶ କଲେଜରେ ଷାଣ୍ମାସିକ ପରୀକ୍ଷା ହୋଇଥିବା ବେଳେ କେତେକ କଲେଜରେ ବାର୍ଷିକ ପରୀକ୍ଷା ହୋଇଛି। ଘରୋଇ କଲେଜଗୁଡ଼ିକ ଏକ୍ଷେତ୍ରରେ ଆଗରେ ରହିଛନ୍ତି। ତେଣୁ ପିଲାଙ୍କ ଏକାଦଶ ଶ୍ରେଣୀ ପରୀକ୍ଷାର ମାର୍କ ଆଧାରରେ ମୂଲ୍ୟାୟନ କରାଯିବାକୁ ଚିନ୍ତା କରାଯାଉଛି। ସମସ୍ୟା ହେଉଛି ଭବିଷ୍ୟତ ପାଠପଢ଼ାକୁ ନେଇ। ପରୀକ୍ଷା ସିନା ବାତିଲ୍‌ ହୋଇଯିବ ତେବେ ପିଲାମାନେ ଯୁକ୍ତ୩ରେ କେ‌ମିତି ନାମ ଲେଖାଇବେ। କେଉଁ ଆଧାରରେ ସେମାନଙ୍କୁ ଚୟନ କରାଯିବ। ସିବିଏସ୍‌ଇ ପିଲାଙ୍କ ସହ ଓଡ଼ିଆ ବୋର୍ଡର ଛାତ୍ରଛାତ୍ରୀ କିଭଳି ସମକକ୍ଷ ହୋଇପାରିବେ ତାହା ଏବେ ପ୍ରମୁଖ ବିଷୟ ପାଲଟିଛି। କାରଣ ୨୦୨୦-୨୧ ଶିକ୍ଷାବର୍ଷରେ ନାମଲେଖା ସମୟରେ କିଛିଟା ସମସ୍ୟା ହୋଇଥିଲା। ତାହାକୁ ନଜରରେ ରଖି ଏଥର ଯାହା ବି କିଛି ନିଷ୍ପତ୍ତି ନିଆଯିବ ତାହା ପିଲାଙ୍କ ସ୍ବାର୍ଥ ପାଇଁ ହେବ। ପରୀକ୍ଷା ବାତିଲ୍‌, ବିକଳ୍ପ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ଗୁରୁବାର ପୂର୍ବାହ୍ନରେ ପୁଣିଥରେ ବୈଠକ ବସିବା ପରେ ବିଧିବଦ୍ଧ ଘୋଷଣା ହୋଇପାରେ।

ସମ୍ବନ୍ଧିତ ଖବର