ଏପ୍ରିଲ ୨୮ରୁ ଯୁକ୍ତ୨ ପରୀକ୍ଷା, ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା

ମାର୍କିଂ ପଦ୍ଧତିରେ ପରିବର୍ତନ, ୨୬ ତାରିଖ ସୁଦ୍ଧା ସିସିଟିଭି ପ୍ରସ୍ତୁତ କର

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋ‌ଇ ମେ’ ୨୪ରେ ସରିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ପରିବର୍ତନ କରାଯାଇଛି। ସକାଳ ୯ଟାରୁ ଗୋଟିଏ ସିଟିଂରେ ହିଁ ପରୀକ୍ଷା କରାଯିବ। ଗତ ଦୁଇ ବର୍ଷର କୋଭିଡ୍‌-୧୯ ଦ୍ବାରା ଛାତ୍ରଛାତ୍ରୀ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି। ସେଥିପାଇଁ ଏଥର ପରୀକ୍ଷା ପଦ୍ଧତିରେ କେତେକ ପରିବର୍ତନ ହୋଇଛି। ଚଳିତ ବର୍ଷ ଯୁକ୍ତ୨ ପରୀକ୍ଷା ଅଫଲାଇନ୍ ମୋଡ୍‌ରେ ହେବ ଏବଂ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ। ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହିଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ପରିଚାଳନା କରିବେ। ସେହିପରି ଏଥର ମାର୍କିଂ ପଦ୍ଧତିରେ ବି କେତେକ ପରିବର୍ତନ କରାଯାଇଛି।

ଏଥର ମୂଲ୍ୟାଙ୍କନ ନିମନ୍ତେ ଦୁଇ ପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ। ପ୍ରଥମଟି ହେଲା ବିଦ୍ୟାଳୟସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ୱେଟେଜ୍‌ ଦିଆଯିବ। ଏଥିପାଇଁ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବା ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦% ୱେଟେଜ୍ ଦିଆଯିବ। ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ୨ ବୋର୍ଡ ପରୀକ୍ଷା ୱେଟେଜ୍ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ।

ଦ୍ୱିତୀୟଟି ହେଲା କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷାରେର ରଖିଥିବା ନମ୍ବରକୁ ୧୦୦% ୱେଟେଜ୍ ଦିଆଯିବା ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସଂପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ। ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ପରୀକ୍ଷା ସିଟିଂ ସକାଳ ୯ଟାରୁ ଆରମ୍ଭ ହେବ ଏବଂ ଦିନକୁ ଗୋଟିଏ ସିଟିଂ ପରୀକ୍ଷା ହେବ। ପରୀକ୍ଷା ସାରଣୀ ଏବଂ ମୂଲ୍ୟାଙ୍କନ ପଦ୍ଧତି ବିଷୟରେ ପରିଷଦ ପକ୍ଷରୁ ସବିଶେଷ ନିର୍ଦ୍ଦେଶନାମା ଯୁକ୍ତ-୨ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ୧୦ ଦିନ ମଧ୍ୟରେ ପଠାଇ ଦିଆଯିବ।

ବିଗତ ଦୁଇବର୍ଷ ଧରି କୋଭିଡ୍-୧୯ଜନିତ ମହାମାରୀ ପରିସ୍ଥିତିରେ ଗତି କରୁଥିବା ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଶିକ୍ଷାଗ୍ରହଣ ଅବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରଣାଳୀ ସ୍ଥିର କରିବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକ ସମାଜ, ଅଭିଭାବକ ସଂଗଠନ, ବରିଷ୍ଠ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଶିକ୍ଷାପଦାଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲା।

ଅପରପକ୍ଷରେ ଥିଓରି ପରୀକ୍ଷା ତାରିଖ ଘୋଷଣା ହୋଇଥିଲେ ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ସମ୍ପର୍କରେ ପରିଷଦ ପକ୍ଷରୁ କିଛି କୁହାଯାଇ ନାହିଁ। ପରୀକ୍ଷା ପୂର୍ବରୁ ସମସ୍ତ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସିସିଟିଭି କ୍ୟାମେରା ପ୍ରସ୍ତୁତ ରଖିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର, ଉପକେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୨୬ ତାରିଖ ସୁଦ୍ଧା ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଯେଉଁ କଲେଜଗୁଡ଼ିକ ପରୀକ୍ଷା ରୁମ୍‌/ହଲ୍‌ରେ ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି ସେମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ସାମ୍‌ସ ଇ-ସ୍ପେସ୍‌ରେ ସିସିଟିଭି କ୍ୟାମେରା ଲିଙ୍କ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ମାତ୍ର ଏବେ ସୁଦ୍ଧା କିଛି କଲେଜ ରିପୋର୍ଟ ଦାଖଲ କରି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର