ସୁରୁଖୁରରେ ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା, ଓଡ଼ିଆରେ କପି କରି ୧୦ ଏମ୍‌ପି

ଭୁବନେଶ୍ବର : ଶାନ୍ତିଶୃଙ୍ଖଳାରେ ସରିଛି ଯୁକ୍ତ୨ ପରୀକ୍ଷାର ପ୍ରଥମ ଦିନ। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷାରେ କପି କରି ୧୦ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌(ଏମ୍‌ପି) ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ତା କହିଛନ୍ତି।

ନିର୍ଧାରିତ ସମୟ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ୩ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୭ଟାରୁ ପରୀକ୍ଷା ପରିଚାଳନା ହବ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା। ପ୍ରତି ଗାଡ଼ିରେ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ। ମାଟ୍ରିକ୍‌ ପରୀକ୍ଷାରେ ଲଗାତାର ଭାବେ ପ୍ରଶ୍ନପତ୍ର ଭାଇରାଲ ହେଉଥିବାରୁ ସମସ୍ତଙ୍କ ନଜର ଯୁକ୍ତ୨ ପରୀକ୍ଷା ଉପରେ ରହିଥିଲା। ‌ତିନି ଘଣ୍ଟା ଧରି ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ମଧ୍ୟ ପ୍ରଶ୍ନପତ୍ର ବାହାରକୁ ଆସିପାରି ନଥିଲା। କଡ଼ା ସୁରକ୍ଷା, ବ୍ୟାପକ ଯାଞ୍ଚ, ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବାରୁ ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକାଯାଇପାରିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଗଠିତ ଫ୍ଲାଇ˚ ସ୍କ୍ବାଡ୍‌ ସମେତ ହବ୍‌ ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧି, ଜିଲ୍ଲାସ୍ତରୀୟ ସ୍କ୍ବାଡ୍‌ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ବାଡ୍‌ ମଧ୍ୟ କେନ୍ଦ୍ରକୁ ଯାଇ ଯାଞ୍ଚ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, କ୍ୟାମେରା, ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେଉଥିବାରୁ ସ୍ମାର୍ଟ ଘଣ୍ଟା ପିନ୍ଧିବା ଉପରେ କଟକଣା ଜାରି ହୋଇଥିଲା। କ୍ୟାମେରା ନଥିବା ତଥା ସାଧା ଘଣ୍ଟା ପିନ୍ଧି କେନ୍ଦ୍ରକୁ ଯିବା ଲାଗି ଅନୁମତି ଦିଆଯାଇଥିଲେ ମଧ୍ୟ ଅଧିକାଂଶ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଛି। ଶୁକ୍ରବାରଠାରୁ କଳା ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନରେ ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ରହିଛି। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର