ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶେଷ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୭ହଜାର ୯୪୨ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକରେ ୫୮୬୨ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ୫ହଜାର ୫୯୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିନାହାନ୍ତି। କଳା ବିଭାଗରେ ସର୍ବାଧିକ ୩୪୮୯ଜଣ, ବିଜ୍ଞାନରେ ୧୧୨୫ ଓ ବାଣିଜ୍ୟରେ ୯୮୩ଜଣ ଅନୁପସ୍ଥିତ ରହିଛନ୍ତି। ଏବର୍ଷ ୫୭୫ଜଣ ଛାତ୍ରଛାତ୍ରୀ କପି କରି ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି। କଳାରେ ୨୯୫, ବିଜ୍ଞାନରେ ୧୭୬ ଓ ବାଣିଜ୍ୟରେ ୧୦୪ଜଣ ଏମ୍‌ପି ହୋଇଥିବା ନେଇ ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ପରୀକ୍ଷା ଶେଷ ହେବା କ୍ଷଣି ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ପରିଷଦ ପକ୍ଷରୁ ଯୋଜନା‌ ପ୍ରସ୍ତୁତ ହୋଇଛି। ଏଥର ବି ଦୁଇଟି ପର୍ଯ୍ୟାୟରେ ପାଖାପାଖି ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଏପ୍ରିଲ ୧୦ରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ। ଅନ୍‌ଲାଇନ୍‌ ମୂଲ୍ୟାୟନ ୨୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଅଫ୍‌ଲାଇନ୍‌ ମୂଲ୍ୟାୟନ ଏପ୍ରିଲ ୨୧ ଯାଏ ଚାଲିବ। ଏହି ପର୍ଯ୍ୟାୟରେ କଳା ବିଭାଗର ଇତିହାସ, ଅର୍ଥନୀତି, ଆଇଟି, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ, ଭୂଗୋଳ, ପରିସଂଖ୍ୟାନ ପରି ୧୭ଟି ବିଷୟ, ବିଜ୍ଞାନ ବିଭାଗର ଇଂରାଜୀ, ଏମ୍‌ଆଇଏଲ୍‌(ଓଡ଼ିଆ), ପଦାର୍ଥ ବିଜ୍ଞାନ, ଆଇଟି, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ପରି ୧୮ଟି ବିଷୟ ଓ ବାଣିଜ୍ୟ ବିଭାଗର ଇଂରାଜୀ, ଏମ୍‌ଆଇଏଲ୍‌(ଓଡ଼ିଆ), ଏଇ, ବିଏମ୍‌ଏସ୍‌, ସିଏସି, ଏଫ୍‌ଏମ୍‌ଏ, ସିଏ, ବିଏସ୍‌ଇ ପରି ୧୪ଟି ବିଷୟର ମୂଲ୍ୟାୟନ କରାଯିବ।

ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମେ’ ୫ ମଧ୍ୟରେ ଅନ୍‌ଲାଇନ୍‌ ଓ ଏପ୍ରିଲ ୨୩ରୁ ମେ’ ୪ ମଧ୍ୟରେ ଅଫ୍‌ଲାଇନ୍‌ ଖାତା ଦେଖା ହେବ। ଏହି ପର୍ଯ୍ୟାୟରେ କଳା ବିଭାଗର ଇଂରାଜୀ, ‌ଏମ୍‌ଆଇଏଲ୍‌(ଓଡ଼ିଆ), ଗଣିତ, ରାଜନୀତି ବିଜ୍ଞାନ, ଶିକ୍ଷା, ଗୃହ ବିଜ୍ଞାନ ପରି ୨୭ଟି ବିଷୟ, ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ ପରି ୨୪ଟି ବିଷୟ, ବାଣିଜ୍ୟର ୧୮ ଓ ଧନ୍ଦାମୂଳକ ବିଭାଗର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରାଯିବ। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନରେ ପ୍ରାୟ ୧୨ହଜାର ଅଧ୍ୟାପକ ସାମିଲ ହେବେ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାକୁ ନଜରରେ ରଖି ମେ’ ମାସ ମଧ୍ୟରେ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜୁନ୍‌ ଦ୍ବିତୀୟ ସପ୍ତାହ ମଧ୍ୟରେ ସମସ୍ତ ବିଷୟର ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।