ଯୁକ୍ତ୨ ଖାତା ମୂଲ୍ୟାୟନ ପ୍ରସ୍ତୁତି : ସୋମବାରରୁ ଇ-ମୂଲ୍ୟାୟନ

୩୬ କେନ୍ଦ୍ରରେ ୪ ହଜାର ଅଧ୍ୟାପକ ଦେଖିବେ, ଦୁଇଟି ସିଟିଂରେ ହେବ ମୂଲ୍ୟାୟନ, ପ୍ରଥମେ ବିଜ୍ଞାନ ଖାତା

ଭୁବନେଶ୍ବର : ଜୁନ୍‌ ପହିଲାରୁ ଯୁକ୍ତ୨ ଖାତା ମୂଲ୍ୟାୟନ ହେବ। ଏଥର ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ ଓ ଦ୍ବିତୀୟ ପର୍ଯ୍ୟାୟରେ ଅଫ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୬ଟି ମୂଲ୍ୟାୟନ କେନ୍ଦ୍ରରେ ୪ ହଜାରରୁ ଅଧିକ ଅଧ୍ୟାପକ ଅନ୍‌ଲାଇନ୍‌ରେ ଖାତା ଦେଖିବେ। ଦୁଇଟି ସିଫ୍ଟରେ ଏହି ମୂଲ୍ୟାୟନ ହେବ। ପ୍ରଥମ ସିଫ୍ଟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଓ ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ କରାଯିବ। ଜୁନ୍‌ ୧ରୁ ପ୍ରଥମେ ବିଜ୍ଞାନ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ହେବାକୁ ଥିବା ବେଳେ ପରବର୍ତୀ ସମୟରେ ବାଣିଜ୍ୟ ବିଭାଗର ସମସ୍ତ ବିଷୟର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବ। ଦ୍ବିତୀୟ ପର୍ଯ୍ୟାୟରେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଖାତା ମୂଲ୍ୟାୟନ କରାଯିବ ବୋଲି ସୂଚନା ମିଳିଛି।

Shiksha.com

ଚଳିତବର୍ଷ ୩୪ଟି ସରକାରୀ କଲେଜ ଓ ଦୁଇଟି ଘରୋଇ ଅନୁଷ୍ଠାନର ଭିତ୍ତିଭୂମିକୁ ବ୍ୟବହାର କରାଯାଇ ଅନ୍‌ଲାଇନ୍‌ ଖାତା ଦେଖା ହେବ। ବାଲେଶ୍ବର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏ ଘରୋଇ ଅନୁଷ୍ଠାନ ଭିତ୍ତିଭୂମିକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ବାଲେଶ୍ବର ଜିଲ୍ଲାର ଫକୀର ମୋହନ ସ୍ବୟଂଶାସିତ କଲେଜ ଓ ୟୁଏନ୍‌ କଲେଜରେ ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ ଜିଲ୍ଲାର ଜେକେ‌ବିକେ କଲେଜ, ଶୈଳବାଳା ମହିଳା ମହାବିଦ୍ୟାଳୟ ଓ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟ, ଜଗତ୍‌ସିଂହପୁର ଜିଲ୍ଲାର ଏସ୍‌ଭିଏମ୍‌ କଲେଜ, ଯାଜପୁରର ଏନ୍‌ସି ସ୍ବୟଂଶାସିତ କଲେଜ ଓ ଭିଏନ୍‌ କଲେଜ, କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ, ଅନୁଗୁଳ ସରକାରୀ କଲେଜରେ ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏହାବ୍ୟତୀତ ଢେଙ୍କାନାଳ ସ୍ବୟଂଶାସିତ କଲେଜ, ବ୍ରହ୍ମପୁରସ୍ଥିତ ଏସ୍‌ବିଆର ସରକାରୀ ମହିଳା କଲେଜ, ବ୍ରହ୍ମପୁର ସିଟି କଲେଜ, ଭବାନୀପାଟଣା ସ୍ବୟଂଶାସିତ କଲେଜ, ନୂଆପଡ଼ାସ୍ଥିତ ଖଡ଼ିଆଳ କଲେଜ, କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ କଲେଜ, ଜୟପୁରସ୍ଥିତ ବିକ୍ରମଦେବ କଲେଜ, ରାୟଗଡ଼ା କଲେଜ, ମୟୂରଭଞ୍ଜର ଏମ୍‌ପିସି କଲେଜ, ଫୁଲବାଣୀ ସରକାରୀ କଲେଜ, ଭୁବନେଶ୍ବରର ବିଜେବି ଜୁନିୟର କଲେଜ, ମହର୍ଷି କଲେଜ, ରାଜଧାନୀ କଲେଜ, ଖୋର୍ଧା ପ୍ରାଣନାଥ ସ୍ବୟଂଶାସିତ କଲେଜ, ନୟାଗଡ଼ ସ୍ବୟଂଶାସିତ କଲେଜ, ପୁରୀ ଏସ୍‌ସିଏସ୍‌ କଲେଜ, ବରଗଡ଼ର ପଞ୍ଚାୟତ କଲେଜ, ଝାରସୁଗୁଡ଼ାର ଏଲ୍‌ଏନ୍‌ କଲେଜ, ସମ୍ବଲପୁରର କୁଚିଣ୍ଡା କଲେଜ, ସରକାରୀ ମହିଳା କଲେଜ, ରାଉରକେଲା ସରକାରୀ କଲେଜ ଓ ସୁନ୍ଦରଗଡ଼ ସରକାରୀ କଲେଜରେ ମୂଲ୍ୟ‌ାୟନ କେନ୍ଦ୍ର କରାଯାଇଛି।

କେତେକ ମୂଲ୍ୟାୟନ କେନ୍ଦ୍ର ପରିସରରେ ସଙ୍ଗରୋଧ ‌କେନ୍ଦ୍ର ହୋଇଥିବା ସୂଚନା ମିଳିଛି। ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଯଦି କୌଣସି ମୂଲ୍ୟାୟନ କେନ୍ଦ୍ରରେ ସଙ୍ଗରୋଧ କେନ୍ଦ୍ର ହୋଇଥାଏ ତେବେ ସେଠାରେ ବାରିକେଡ୍‌ କରିବା ସହ ଉଭୟ କେନ୍ଦ୍ର ମଧ୍ୟରେ ଦୂରତ୍ବ ରଖାଯିବ। ପ୍ରତିଦିନ ମୂଲ୍ୟାୟନ ପୂର୍ବରୁ କେନ୍ଦ୍ରକୁ ବିଶୋଧନ କରାଯିବ। ଉଭୟ କେନ୍ଦ୍ର ଲାଗି ଅଲଗା ଅଲଗା ବାଟ, ଶୌଚାଳୟ, ପିଇବା ପାଣି ସୁବିଧା ରଖିବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ମୂଲ୍ୟାୟନ କେନ୍ଦ୍ରରେ କିଛି ସମସ୍ୟା ଥିବ ତେବେ ଏନେଇ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଅକର୍ଷଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର