ଯୁକ୍ତ୨ ଖାତା ଦେଖିବାକୁ ଆସୁନାହାନ୍ତି ଅଧ୍ୟାପକ, ୩୫ କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ଆଶଙ୍କା
ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଫଳ କେବେ ବାହାରିବ? ଜୁଲାଇ ଶେଷ ସପ୍ତାହ ନା ଅଗଷ୍ଟ ପ୍ରଥମ ସପ୍ତାହ। ନା ଆହୁରି ବିଳମ୍ବ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସିବିଏସ୍ଇ ଓ ଆଇସିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଠିଛି। ଆଉ ଏହାର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପରୀକ୍ଷା ଫଳ କେବେ ବାହାରିବ କହିହେବ ନାହିଁ। ଉତ୍ତର ଖାତା ଦେଖା ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସରିନି। ତେଣୁ ପରୀକ୍ଷା ଫଳ କଥା ଏବେଠୁ କହିବା ସମ୍ଭବପର ନୁହେଁ। ସାପ୍ତାହନ୍ତ ସଟ୍ଡାଉନ୍ ଯୋଗୁଁ ଜୁନ୍ ଓ ଜୁଲାଇ ମାସରେ ଖାତା ମୂଲ୍ୟାୟନ ପ୍ରଭାବିତ ହୋଇଛି। ତେଣୁ ବିଭାଗୀୟ ସଚିବ ଗତକାଲି ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ଡିସିପିଙ୍କୁ ଚିଠି ଲେଖି ସପ୍ତାହନ୍ତ ସଟ୍ଡାଉନ୍ରେ ମୂଲ୍ୟାୟନ ପ୍ରକ୍ରିୟା ଜାରି ରଖିବାକୁ କହିଛନ୍ତି। ଜୁଲାଇ ୩୧ ଯାଏ ୪ଟି ଜିଲ୍ଲା ଯଥା ଗଞ୍ଜାମ, ଖୋର୍ଧା, କଟକ, ଯାଜପୁରରେ ଲକ୍ଡାଉନ୍ ଜାରି ହେଉଛି। ଏହି ଜିଲ୍ଲାଗୁଡ଼ିକରେ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଥିବାରୁ ସେଠାରେ ଖାତାଦେଖା କିପରି ହେବ, ସେନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଖାତାଦେଖା ସରିବା ପରେ ଫଳ ପ୍ରକାଶ ଲାଗି ପ୍ରକ୍ରିୟା ଆରମ୍ଭ ହେବ। ଯେତେଶୀଘ୍ର ସମ୍ଭବ ଖାତାଦେଖା ଶେଷ କରିବାକୁ ପ୍ରୟାସ ଜାରି ରହିଛି।
ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ୨ କଲେଜକୁ ଚିଠି ଲେଖି କହିଛନ୍ତି ଯେ ଜୁନ୍ ପହିଲାଠାରୁ ଯୁକ୍ତ୨ ଖାତା ଦେଖା ଚାଲିଛି। ତେବେ ଅଧ୍ୟାପକ ଆସୁ ନଥିବାରୁ ଖାତା ଦେଖା ବହୁ ପରିମାଣରେ ପ୍ରଭାବିତ ହୋଇଛି। ଏମିତିକି ଅର୍ଧାଧିକ ମୂଲ୍ୟାୟନ କେନ୍ଦ୍ରକୁ ୫୦ ପ୍ରତିଶତ ଅଧ୍ୟାପକ ବି ଆସୁ ନାହାନ୍ତି। କିଛି କେନ୍ଦ୍ରରେ ୩୦ପ୍ରତିଶତ ମୂଲ୍ୟାୟନକାରୀଙ୍କୁ ନେଇ ଖାତା ଦେଖା ହେଉଛି। ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ କରିବାକୁ ହେଲେ ମୂଲ୍ୟାୟନ କେନ୍ଦ୍ରରେ ଅଧିକ ସଂଖ୍ୟକ ମୂଲ୍ୟାୟନକାରୀ ନିୟୋଜିତ କରିବାର ଆବଶ୍ୟକତା ରହିଛି। ତେଣୁ ପରିଷଦ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟାୟନକାରୀଙ୍କୁ ଛାଡ଼ିବା ଲାଗି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।
ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଚିଠି ଲେଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ୍ ଗତକାଲି ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ଡିସିପିଙ୍କୁ ଲେଖିଥିବା ଚିଠିକୁ ଆଧାର କରି ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସମସ୍ତ ଜୋନ୍ର ସୁପରଭାଇଜର/ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଉଚ୍ଚସ୍ତରରେ ଚିଠି ଦିଆନିଆ ଚାଲିଥିବା ବେଳେ ଏବେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପରୀକ୍ଷାଫଳ ବାହାରୁ ନ ଥିବାରୁ ଆଗକୁ ଯୋଜନା କରିପାରୁ ନାହାନ୍ତି।