ଯୁକ୍ତ୨ ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ିଲା, ୬୬ଟି କେନ୍ଦ୍ରରେ ହେବ ଖାତା‌ଦେଖା

ଭୁବନେଶ୍ବର : ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଉତ୍ତର ଖାତାର ଇ-ମୂଲ୍ୟାୟନ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ସମସ୍ତ ୩୬ଟି ମୂଲ୍ୟାୟନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅଳ୍ପ କିଛି କେନ୍ଦ୍ର‌ରେ ଖାତା ଦେଖା ଚାଲିଥିବା ବେଳେ ଅଧିକାଂଶ କେନ୍ଦ୍ରରେ ସମସ୍ୟା ଦେଖାଦେଇଛି। ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ। ମୂଲ୍ୟାୟନ କେନ୍ଦ୍ରକୁ ସଠିକ୍‌ ଭାବେ ବିଶୋଧନ କରାଯାଇ ପାରି ନ ଥିବା ଜଣାପଡ଼ିଛି। ଯେଉଁଠି ବି ମୂଲ୍ୟାୟନ ହେଉଛି ସେଠାରେ ଶତ ପ୍ରତିଶତ ଅଧ୍ୟାପକ ଯୋଗ ଦେଇ ନ ଥିବା ସୂଚନା ମିଳିଛି। ଏଭଳି ସମୟରେ ଅଫ୍‌ଲାଇନ୍‌ ମୂଲ୍ୟାୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏବେ ଏଥିରେ ଆଉ ୮ଟି ଯୋଡ଼ା ଯାଇଛି। ତେଣୁ ଏଥର ୬୬ଟି ମୂଲ୍ୟାୟନ କେନ୍ଦ୍ରରେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଖାତା ଦେଖା ହେବ। ଏଥିପାଇଁ ୮ ହଜାରରୁ ଅଧିକ ଅଧ୍ୟାପକ ନିୟୋଜିତ ହେବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମୂଲ୍ୟାୟନ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ବିଶୋଧନକୁ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଆଗରୁ କୁହାଯାଇଥିଲା। ତେବେ କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନ/ସିଡିଏମ୍‌ଓ/ପୌର ପ୍ରଶାସନ ଏଦିଗରେ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ମୂଲ୍ୟାୟନ କେନ୍ଦ୍ରର ଅଧ୍ୟକ୍ଷମାନଙ୍କ ନିକଟରେ ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ କଲେଜ ଡେଭଲପ୍‌ମେଣ୍ଟ ଫଣ୍ଡ୍‌ରୁ ଅର୍ଥ ବିନିଯୋଗ କରି ଥର୍ମାଲ ସ୍କାନର କିଣିପାରିବେ। ଏହାଦ୍ବାରା ମୂଲ୍ୟାୟନକାରୀ ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ତାଙ୍କ ଶରୀରର ତାପମାତ୍ରା ମପାଯାଇ ପାରିବ। ଯଦି କଲେଜ ଡେ‌ଭେଲ୍‌ପମେଣ୍ଟ ଫଣ୍ଡ୍‌ରେ ଅର୍ଥ ନ ଥିବ ତେବେ ସେମାନେ ପିଏଲ୍‌ ଆକାଉଣ୍ଟକୁ ବ୍ୟବହାର କରିପାରିବେ। କୋଭିଡ୍‌-୧୯ ନିୟମକୁ ପାଳନ କରି ଜିଲ୍ଲା ପ୍ରଶାସନ/ସିଡିଏମ୍‌ଓ/ପୌର ପ୍ରଶାସନ ଯଦି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକର ବିଶୋଧନ ଦିଗରେ ପଦକ୍ଷେପ ନେଇ ନ ଥାନ୍ତି ତେବେ କଲେଜଗୁଡ଼ିକ ନିଜେ ପଦକ୍ଷେପ ନେବେ। ଏହାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର