ସଟ୍‌ଡାଉନ୍‌ରେ ଜାରି ରହିବ ଯୁକ୍ତ୨ ଖାତାଦେଖା

ଜିଲ୍ଲାପାଳ, ଏସ୍‌ପିଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ବର : ଯୁକ୍ତ୨ ଖାତା ମୂଲ୍ୟାୟନ ସ୍ବାଭାବିକ ହୋଇପାରୁନି। କେଉଁଠି ପରୀକ୍ଷା କେନ୍ଦ୍ରକୁ ମୂଲ୍ୟାୟନକାରୀ ଆସୁନାହାନ୍ତି ତ ଆଉ କେଉଁଠି ସପ୍ତାହନ୍ତ ସଟ୍‌ଡାଉନ୍‌ ଯୋଗୁଁ ଖାତା ଦେଖା ପ୍ରଭାବିତ ହେଉଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଖାତା ଦେଖା ‌ପ୍ରଭାବିତ ହେଉଥିବାରୁ ଏବେ ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ବିଳମ୍ବ ‌ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଆରୁମୁଗମ୍‌ ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ କଟକ-ଭୁବନେଶ୍ବର ଡିସିପିଙ୍କ ନିକଟକୁ ଚିଠି ‌ଲେଖିଛନ୍ତି। ସପ୍ତାହନ୍ତ ସଟ୍‌ଡାଉନ୍‌ରେ ଯେପରି ଖାତା ମୂଲ୍ୟାୟନ ସ୍ବାଭାବିକ ହୋଇପାରିବ, ମୂଲ୍ୟାୟନକାରୀ ବିନା ବାଧାରେ ମୂଲ୍ୟାୟନ କେନ୍ଦ୍ରକୁ ଯାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ଶ୍ରୀମତୀ ଆରୁମୁଗମ୍‌ ଲେଖିଥିବା ଚିଠିରେ ଆହୁରି କହିଛନ୍ତି ଯେ ଗତ ଜୁନ୍‌ ପହିଲାଠାରୁ ଖାତା ମୂଲ୍ୟାୟନ ଜାରି ରହିଛି। ତେବେ ବିଭିନ୍ନ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଖାତାଦେଖା ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି। ଯେହେତୁ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା ଓ ଫଳ ପ୍ରକାଶ ଅଧିକ ଗୁରୁତ୍ବପୂର୍ଣ୍ଣ ତେଣୁ ଶନିବାର ଓ ରବିବାର ମୂଲ୍ୟାୟନ କେନ୍ଦ୍ର ଖୋଲା ରଖାଯାଉ। ଖାତା ଦେଖା କାର୍ଯ୍ୟରେ ନିୟୋଜିତ ମୂଲ୍ୟାୟନକାରୀ, ବୈଷୟିକ ସହାୟକ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଚଳପ୍ରଚଳ ଲାଗି କଟକଣାକୁ କୋହଳ କରାଯାଉ। ପରିଚୟପତ୍ର ଦେଖାଇ ଯିବା ଆସିବା କରିବା ଲାଗି ସେମାନଙ୍କୁ ଅନୁମତି ଦିଆଯାଉ। ଏହି ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଦ୍ବାଦଶ ଶ୍ରେଣୀ ପରୀକ୍ଷା‌ ଫଳ ପ୍ରକାଶ ପାଇସା‌ରିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ ଯୁକ୍ତ୨ ପରୀକ୍ଷା ଫଳ ଯେତେଶୀଘ୍ର ସମ୍ଭବ ପ୍ରକାଶ କରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି। ଖାତା ମୂଲ୍ୟାୟନ ପ୍ରଭାବିତ ‌ହୋଇଥିବା ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର