ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି। ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କିଂକୁ ନେଇ କୌଣସି ଦ୍ବନ୍ଦ୍ବ ଥିବ, ସେମାନେ ପୁନଃ ଯାଞ୍ଚ ଲାଗି ଆବେଦନ କରିପାରିବେ। ୪ଟି ଯାକ ବିଭାଗର ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୨ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏମ୍ପି(ମାଲ ପ୍ରାକ୍ଟିସ୍)ରେ ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ଲାଗୁ ହେବ ନାହିଁ। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୮ରୁ ୧୯ ମଧ୍ୟରେ ଅନ୍ଲାଇନ୍ରେ ଉତ୍ତର ଖାତାର ସ୍କାନ୍ କପିର ଲିଙ୍କ୍ ଯୋଗାଇ ଦିଆଯିବ।
ଯଦି କୌଣସି ଛାତ୍ରଛାତ୍ରୀ ଲିଙ୍କ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ୨୪ ତାରିଖ ସୁଦ୍ଧା ଏ ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକଙ୍କୁ ଇ-ମେଲ୍ [email protected] ମାଧ୍ୟମରେ ଦୃଷ୍ଟିକୁ ଆଣିବେ। ୨୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କ ଅଭିଯୋଗ ଗ୍ରହଣ କରାଯିବ। ଧାର୍ଯ୍ୟ ସମୟ ପରେ ପୁନଃ ଯାଞ୍ଚ ଲାଗି କୌଣସି ସୁଯୋଗ ମିଳିବ ନାହିଁ। ପ୍ରତି ବିଷୟର ପୁନଃଯାଞ୍ଚ ଲାଗି ଛାତ୍ରଛାତ୍ରୀଙ୍କୁ ୨୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।