ଭୁବନେଶ୍ବର : ଯୁକ୍ତ୨ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ରି-ଚେକିଂ ଓ ରି-ଆଡିସନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ୨୫ତାରିଖ ସୁଦ୍ଧା ଏନେଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏମ୍ପି(ମାଲ ପ୍ରାକ୍ଟିସ୍) ଓ ପରୀକ୍ଷା ଫଳ ସ୍ଥଗିତ ରହିଥିବା ପରୀକ୍ଷାର୍ଥୀ ଏଥିପାଇଁ ଆବେଦନ କରିପାରିବେ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
କଳା ବିଭାଗର ଗଣିତ, ଆଇଟି, ଅନ୍ୟାନ୍ୟ ଏମ୍ଆଇଏଲ୍(ଏମ୍ଆଇଏଲ୍(ଓ) ବ୍ୟତୀତ) ଓ ଇଣ୍ଟିଗ୍ରେଟେଡ୍ ଭୋକେସନାଲ ବିଷୟଗୁଡ଼ିକର ଉତ୍ତର ଖାତା ମୂଲ୍ୟାୟନ ଅନ୍ଲାଇନ୍ରେ ହେବ। କଳା ବିଭାଗର ଅନ୍ୟାନ୍ୟ ସମସ୍ତ ବିଷୟ ଓ ଧନ୍ଦାମୂଳକ ବିଭାଗର ସମସ୍ତ ବିଷୟର ଉତ୍ତର ଖାତା ଅଫ୍ ଲାଇନ୍ରେ ଦେଖାହେବ। ତେଣୁ ପରୀକ୍ଷାର୍ଥୀ ଆବେଦନ କରିବା ସମୟରେ ଉପଯୁକ୍ତ ବିଭାଗ ଓ ବିଷୟ ଚୟନ କରିବାକୁ ପରାମର୍ଶ ଦିଆଯାଇଛି। ରି-ଚେକିଂ ଓ ରି-ଆଡିସନ୍ର ଫଳ କଲେଜକୁ ଜଣାଇ ଦିଆଯିବ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯଦି କୌଣସି ପରୀକ୍ଷାର୍ଥୀ ଖାତା ଦେଖିବାକୁ ଚାହିବେ, ତେବେ ସେମାନେ ଫଳ ବାହାରିବାର ୧୫ଦିନ ମଧ୍ୟରେ [email protected] ମାଧ୍ୟମରେ ଆବେଦନ କରିପାରିବେ। ଇ-ମୂଲ୍ୟାୟନ ହୋଇଥିବା ଉତ୍ତରଖାତା ପାଇବାକୁ ଚାହୁଥିବା ଛାତ୍ରଛାତ୍ରୀ ଆବେଦନ କରିବା ପରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୩ ମଧ୍ୟରେ ସେମାନଙ୍କୁ ସ୍କାନ୍ କପି ଯୋଗାଇ ଦିଆଯିବ। ପ୍ରତି ଉତ୍ତର ଖାତା ରି-ଚେକିଂ ଓ ରି-ଆଡିସନ୍ ପାଇଁ ୨୦୦ ଟଙ୍କା ଲେଖାଏଁ ଫି’ ଦେବାକୁ ପଡ଼ିବ। ଯେତିକି ଉତ୍ତର ଖାତା ରି-ଚେକିଂ ଓ ରି-ଆଡିସନ୍ ହେବ, ସେହି ଅନୁଯାୟୀ ଅର୍ଥ ପଇଠ କରିବାକୁ ହେବ। ଏଥିସହ କିଭଳି ଓ କେଉଁ ପ୍ରକାରେ ଛାତ୍ରଛାତ୍ରୀ ଆବେଦନ କରିବେ, ସେନେଇ ପରିଷଦ ୱେବ୍ସାଇଟ୍ରେ ଗାଇଡ୍ଲାଇନ୍ ପ୍ରକାଶ ପାଇଛି। ତାହାକୁ ଦେଖିବା ଲାଗି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପରାମର୍ଶ ଦେଇଛନ୍ତି।