ଆଜିଠୁ ଯୁକ୍ତ୨ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ, ଆସନ୍ତାକାଲିଠାରୁ ଯୁକ୍ତ୨ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିବ। ବାକି ଥିବା ୬ ଦିନର ପରୀକ୍ଷା କେବେ ହେବ, ସେନେଇ ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା ପରିଚାଳନା ହବ୍‌ଗୁଡ଼ିକରେ ଥିବା ପ୍ରଶ୍ନପତ୍ର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ୨୦୨ ହବ୍‌-ସୁପରଭାଇଜର୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପରିଷଦ ପକ୍ଷରୁ କୁହାଯାଇଛି, କୌଣସି ବି ପରିସ୍ଥିତିରେ ହବ୍‌ ଖୋଲାଯିବ ନାହିଁ। ଶନିବାର ସରିଥିବା ପରୀକ୍ଷାର ଉତ୍ତର ଖାତା ଯଦି ମୂଲ୍ୟାୟନ କେନ୍ଦ୍ରକୁ ଯାଇ ନଥିବ, ତେବେ ସୋମବାର ସକାଳୁ ହବ୍‌ର ସୁପରଭାଇଜର୍‌ ଏ ଦିଗରେ ପଦକ୍ଷେପ ନେବେ। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ସୁପରଭାଇଜର୍‌, ଡେପୁଟି ସୁପରଭାଇଜର୍‌ ରହି ହବ୍‌ର ତାଲା ଖୋଲିବେ ଓ ଉତ୍ତର ଖାତା ପଠାଇବା ପରେ ପୁଣି ତାଲା ପକାଇବେ। ହବ୍‌ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ସୁରକ୍ଷା କର୍ମୀମାନେ ପାଳି କରି ଜଗିବେ। ରାତିରେ ପିସିଆର୍‌ ଗାଡ଼ି ବିଭିନ୍ନ ସମୟରେ ହବ୍‌ ଚାରିପଟେ ବୁଲିବ। ପୁଲିସର କଡ଼ା ନଜର ରହିବ। ପରିଷଦର ଜୋନାଲ ଅଧିକାରୀମାନେ ବି ନିୟମିତ ବ୍ୟବଧାନରେ ହବ୍‌କୁ ଗସ୍ତ କରି ଅନୁଧ୍ୟାନ କରିବେ।

ସୂଚନା ଅନୁଯାୟୀ, ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ବାତିଲ ହୋଇଛି। ଯେଉଁଥିରେ ବିଜ୍ଞାନ ବିଭାଗର ଜୀବବିଜ୍ଞାନ ଓ କଳା ବିଭାଗର ଅର୍ଥନୀତି ବିଷୟର ପରୀକ୍ଷା ରହିଛି। ଏହାବ୍ୟତୀତ ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ବି କିଛି ବିଷୟର ପରୀକ୍ଷା ବି ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର