ଯୁକ୍ତ୨ରେ ବି ମାର୍କ ବର୍ଷା: ବିଜ୍ଞାନରେ ୯୪.୧୨%, ବାଣିଜ୍ୟରେ ୮୯.୨୦% ପାସ୍‌

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଟ୍ରିକ୍‌ ପରି ଏଥିରେ ବି ମାର୍କ ବର୍ଷା ହୋଇଛି। ଉଭୟ ବିଭାଗର ପାସ୍‌ହାର ସବୁ ରେକର୍ଡ ଭାଙ୍ଗିଛି। ବିଜ୍ଞାନରେ ପାସ୍‌ହାର ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରିଷଦ ଇତିହାସରେ କେବେ ବି ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଏଭଳି ସଫଳତା ପାଇ ନ ଥିଲେ। କେବଳ ସେତିକି ନୁହେଁ, ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବିଜ୍ଞାନ ବିଭାଗରେ ଅଧାରୁ ଅଧିକ ପରୀକ୍ଷାର୍ଥୀ ପ୍ରଥମ ‌ଶ୍ରେଣୀରେ ଅର୍ଥାତ୍‌ ୬୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ଉଭୟ ବିଭାଗରେ କୌଣସି ବି କଲେଜର ପରୀକ୍ଷା ଫଳ ଶୂନ ହୋଇନାହିଁ। ବିଜ୍ଞାନରେ ୩୯୩ ଓ ବାଣିଜ୍ୟରେ ୧୩୪ କଲେଜର ପରୀକ୍ଷା ଫଳ ଶତପ୍ରତିଶତ ହୋଇଛି।

ବିଜ୍ଞାନ ବିଭାଗରେ ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୯.୧୧% ଓ ଫୁଲବାଣୀ ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୭୬.୮୧% ହୋଇଛି। ଯେତେବେଳେ କି ବାଣିଜ୍ୟରେ ବୌଦ୍ଧ ଜିଲ୍ଲାର ପାସ୍‌ହାର ଶତ ପ୍ରତିଶତ ହୋଇ ରେକର୍ଡ ସୃଷ୍ଟି କରିଛି। ବାଣିଜ୍ୟରେ ଦେବଗଡ଼ ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୬୧.୫୩% ରହିଛି। ବିଜ୍ଞାନ ବିଭାଗରେ ୯୦% କିମ୍ବା ତା’ଠାରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ କମିଛି। ୨୦୨୧ରେ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନରେ ୨,୨୭୮ ଜଣ ୯୦%ରୁ ଅଧିକ ନମ୍ବର ରଖିଥିଲେ। ଏଥର ପରୀକ୍ଷା ହୋଇଥିବାରୁ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୧୨୪କୁ ହ୍ରାସ ପାଇଛି। ମାତ୍ର ବାଣିଜ୍ୟରେ ୯୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଏଥର ୨୭୩ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି। ଉଭୟ ବିଭାଗରେ ଛାତ୍ରୀମାନେ ବାଜିମାତ୍‌ କରିଛନ୍ତି। କୌଣସି ବି ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରଖାଯାଇ ନ ଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ବିଭାଗରେ ୯୦%ରୁ ଅଧିକ ରଖିଲେ ୧୩୯୭
ବିଜ୍ଞାନରେ ନୟାଗଡ଼, ବାଣିଜ୍ୟରେ ବୌଦ୍ଧ ଶୀର୍ଷରେ
ବିଜ୍ଞାନରେ ୩୯୩, ବାଣିଜ୍ୟରେ ୧୩୪ କଲେଜରେ ସମସ୍ତେ ପାସ୍‌

ବିଜ୍ଞାନ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୭୬ ହଜାର ୬୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୨ ହଜାର ୧୦୬ଜଣ ପାସ୍‌ କରିଛନ୍ତି। ରେଗୁଲାରରେ ପରୀକ୍ଷା ଦେଇଥିବା ୭୩ ହଜାର ୭୭୧ଜଣଙ୍କ ମଧ୍ୟରୁ ୭୦ ହଜାର ୯୧୮ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୨୮୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୮୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୫୦ ହଜାର ୧୫୭, ଦ୍ବିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଓ ତୃତୀୟ ଶ୍ରେଣୀରେ ୬୯୧୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦୭ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲ ଦେବା ଲାଗି ରହିଛନ୍ତି। ଏହି ବିଭାଗରେ ପରୀକ୍ଷା ଦେଇଥିବା ୪୨ ହଜାର ୨୦୩ ଛାତ୍ରଙ୍କ ମଧ୍ୟରୁ ୩୯ ହଜାର ୫୮୭ ଜଣ ପାସ୍‌ କରିଛନ୍ତି, ପାସ୍‌ହାର ୯୩.୮୦% ହୋଇଛି। ୩୪ ହଜାର ୪୦୧ ଛାତ୍ରୀଙ୍କ ମଧ୍ୟରୁ ୩୨ ହଜାର ୫୧୯ ଜଣ ପାସ୍‌ କରିଛନ୍ତି, ପାସ୍‌ହାର ୯୪.୫୨% ରହିଛି।

ବାଣିଜ୍ୟ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୨୩ ହଜାର ୭୨୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୧ ହଜାର ୧୬୫ ଜଣ ପାସ୍‌ କରିଛନ୍ତି। ରେଗୁଲାରରେ ପରୀକ୍ଷା ଦେଇଥିବା ୨୨ ହଜାର ୮୭୬ ଜଣଙ୍କ ମଧ୍ୟରୁ ୨୦ ହଜାର ୮୭୦ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୮୨୬ ଜଣଙ୍କ ମଧ୍ୟରୁ ୨୮୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୦ ହଜାର ୮୬୩ ଜଣ ପ୍ରଥମ ଶ୍ରେଣୀ, ୫,୦୫୩ଜଣ ଦ୍ବିତୀୟ ଓ ୫,୨୪୨ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭ ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲରେ ରହିଛନ୍ତି। ପରୀକ୍ଷା ଦେଇଥିବା ୮,୭୬୮ଜଣ ଛାତ୍ରୀଙ୍କ ମଧ୍ୟରୁ ୭,୯୫୪ ପାସ୍‌ କରିଛନ୍ତି। ୧୪ ହଜାର ୯୫୮ ଛାତ୍ରଙ୍କ ମଧ୍ୟରୁ ୧୩ ହଜାର ୨୧୧ ଜଣ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୦.୭୧% ଓ ଛାତ୍ରଙ୍କର ୮୮.୩୨% ହୋଇଛି।

 

କୋଭିଡ୍‌ ଜନିତ ସମସ୍ୟାକୁ ହୃଦୟଙ୍ଗମ କରି ନିୟମିତ ପରୀକ୍ଷାର୍ଥୀଙ୍କୁ ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରଥମ ବିକଳ୍ପ ଭାବେ ଯୁକ୍ତ୨ ବାର୍ଷିକ ପରୀକ୍ଷାରେ ରଖିଥିବା ନମ୍ବର ଓ ଦ୍ବିତୀୟ ବିକଳ୍ପ ଭାବେ ପରିଚାଳିତ ପରୀକ୍ଷା ଭିତ୍ତିରେ ପ୍ରତ୍ୟେକ ବିଷୟର ୮୦% ନମ୍ବର ଓ ସ୍କୁଲ ପରିଚାଳିତ କ୍ବାଟର ଏଣ୍ଡ୍‌ ପରୀକ୍ଷାର ୨୦% ଭିତ୍ତିରେ ମୂଲ୍ୟାୟନ କରାଯାଇଥିଲା। ଉକ୍ତ ଦୁଇଟି ବିକଳ୍ପ ମଧ୍ୟରୁ ପରୀକ୍ଷାର୍ଥୀ ପାଇଥିବା ଅଧିକ ନମ୍ବର ଭିତ୍ତିରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଦୁଇଟି ଭିନ୍ନ ପଦ୍ଧତି ମୂଲ୍ୟାୟନ ଯୋଗୁଁ ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଅପରାହ୍ନ ୪ଟାରେ ମନ୍ତ୍ରୀ ଶ୍ରୀ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ପରେ ଅପରାହ୍ନ ୫ଟାରୁ ପରୀକ୍ଷାର୍ଥୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିଥିଲେ। ଏଥିସହ କଲେଜର ଇ-ସ୍ପେସ୍‌ରେ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଫଳ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରିଷଦ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ୦୬୭୪-୨୩୦୧୦୯୮ ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ପରୀକ୍ଷାର୍ଥୀ ଆବଶ୍ୟକୀୟ ସୂଚନା ପାଇପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପରୀକ୍ଷା‌ଫଳ ଉନ୍ମୋଚନ ଉତ୍ସବରେ ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଏସ୍‌ସିଇଆରଟି ନିର୍ଦେଶକ ରଘୁରାମ ଆୟାର, ଓଏସ୍‌ଡି ତୁଷାରକାନ୍ତି ତ୍ରିପାଠୀ, ପରିଷଦ ସଚିବ ଚିନ୍ମୟୀ କହଁର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର