୧୨ରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ
ଫର୍ମ ପୂରଣ ଫି’ ୫୨୦ ଟଙ୍କା, ପ୍ରତି ପ୍ରାକ୍ଟିକାଲ ବିଷୟ ପାଇଁ ୪୦ ଟଙ୍କା‌

Advertisment

ଭୁବନେଶ୍ବର : ମେ’ ୧୫ରୁ ଯୁକ୍ତ୨ ଥିଓରି ପରୀକ୍ଷା। ଏହା ପୂର୍ବରୁ ଏପ୍ରିଲ ୨୯ରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୬ ତାରିଖଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଫେବ୍ରୁଆରି ୬ରୁ ୧୨ତାରିଖ ପର୍ଯ୍ୟନ୍ତ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ଯେଉଁମାନେ ଏହି ସମୟ ମଧ୍ୟରେ କରିପାରିବେ ନାହିଁ, ସେମାନେ ୧୩ରୁ ୧୯ ତାରିଖ ମଧ୍ୟରେ ୫୦ ଟଙ୍କା ଜରିମାନା ଓ ଫେବ୍ରୁ୍ଆରି ୨୦ରୁ ମାର୍ଚ୍ଚ ୩ ମଧ୍ୟରେ ୩୫୦ ଟଙ୍କା‌ ଜରିମାନା ଦେଇ ଫର୍ମପୂରଣ କରିପାରିବେ। ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମ ଛାତ୍ରଛାତ୍ରୀ ଫେବ୍ରୁଆରି ୧୨ରୁ ୨୪ ମଧ୍ୟରେ ବିନା ଜରିମାନା, ଫେବ୍ରୁଆରି ୨୫ରୁ ୨୮ ମଧ୍ୟରେ ୫୦ ଟଙ୍କା ଓ ମାର୍ଚ୍ଚ ୧ରୁ ୩ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୩ ପରେ କୌଣସି ପ୍ରକାର ଫର୍ମ ପୂରଣ କରାଯିବ ନାହିଁ। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଫି’ ୫୨୦ ଟଙ୍କା ରଖାଯାଇଛି। ଏହାବ୍ୟତୀତ ପ୍ରାକ୍ଟିକାଲ ପରୀକ୍ଷା/ପ୍ରୋଜେକ୍ଟ ୱାର୍କ ଫି’ ବାବଦରେ ପ୍ରତି ପେପର ପିଛା ୪୦ ଟଙ୍କା ଲେଖାଏଁ ଆଦାୟ କରାଯିବ। ଅତିରିକ୍ତ ସେଣ୍ଟର ଚାର୍ଜ ବାବଦରେ ୫୦ଟଙ୍କା‌ ଆଦାୟ ହେବ। ଯଦି କୌଣସି କଲେଜ କର୍ତୃପକ୍ଷ ଏହି ଅର୍ଥଠାରୁ ଅଧିକ ଫି’ ଆଦାୟ କରୁଥିବା ନେଇ ନଜରକୁ ଆସେ, ତୁରନ୍ତ ପରିଷଦର ପରୀକ୍ଷା ନିୟନ୍ତ୍ରକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଜଣାଇବାକୁ କୁହାଯାଇଛି। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ୧୬୫ ଟଙ୍କା ପରୀକ୍ଷା ଫି’ ଓ ୪୦ ଟଙ୍କାର ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ଫି’ ଛାଡ଼ କରାଯିବ। ଏଥର ଫର୍ମପୂରଣ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେବ। ଅଫ୍‌ଲାଇନ୍‌ ଫର୍ମ ପୂରଣକୁ ଗ୍ରହଣ କରାଯିବ ନାହିଁ। ଥ୍ରିଜି ଫର୍ମ ଦାଖଲ ତଥା ଅପ୍‌ଲୋଡ୍‌ କରିବା ପୂର୍ବରୁ ତାହାକୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। କଲେଜ କର୍ତୃପକ୍ଷ ତାହାକୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। ତ୍ରୁଟି ରହିଲେ, ସେଥିପାଇଁ ପରିଷଦ ଦାୟୀ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଛାତ୍ରଛାତ୍ରୀ ଫର୍ମପୂରଣ କରିବା ପୂର୍ବରୁ ନିଜ କଲେଜ ସହ ଯୋଗାଯୋଗ କରିବେ। ଆଡମିଟ୍‌ କାର୍ଡ ସମ୍ପୃକ୍ତ କଲେଜରେ ଅନ୍‌ଲାଇନ୍‌ ମାଧ୍ୟମରେ ଉପଲବ୍ଧ ହେବ।