ଭୁବନେଶ୍ବର : ୨୦୨୨ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା ୨୭ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୪ ମଧ୍ୟରେ ବିନା ଜରିମାନାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ଜାନୁଆରି ୫ ଓ ୬ରେ ଶହେ ଟଙ୍କା ଜରିମାନା ଏବଂ ଜାନୁଆରି ୭ରୁ ୧୧ ମଧ୍ୟରେ ୪୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ। ଫର୍ମ ପୂରଣ ବାବଦରେ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡ଼ିବ। କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ। ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଏଥିସହ ଫର୍ମ ପୂରଣ ନେଇ ଗାଇଡ୍‌ଲାଇନ୍‌ ବି ଜାରି ହୋଇଛି।