ରାୟଗଡ଼ା: ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର କଳା ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ଛୁରାମାଡ଼ର ଶିକାର ହୋଇଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

publive-image

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ ବିଦ୍ୟାପୀଠରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ ଅଞ୍ଚଳର ଛାତ୍ରୀ ଜଣକ ଘରକୁ ଫେରୁଥିଲେ। ତାଙ୍କୁ ଜଣେ ଯୁବକ ଟାର୍ଗେଟ କରି ପୂର୍ବରୁ ପ୍ରସ୍ତୁତ ଥିଲା। ଜଗନ୍ନାଥ ମନ୍ଦିର ରାସ୍ତାରେ ଛାତ୍ର ଜଣକ ଛାତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଛାତ୍ରୀଙ୍କ ବେକରେ ଏବଂ ପିଠିରେ ଗଭୀର ଆଘାତ ଲାଗିଥିବା କୁହାଯାଇଛି। ସ୍ଥାନୀୟ ଲୋକେ ଉକ୍ତ ଅଭିଯୁକ୍ତକୁ କାବୁକରି ପୁଲିସର ଜିମା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ଅପ୍ରୀତିକର ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି।