ଯୁକ୍ତ ୨ ପରୀକ୍ଷା ଫଳ: ଉତ୍ତର ଓଡ଼ିଶା ଜୋନ୍‌ରେ ମଧ୍ୟ କମିଲା ପାସ୍‌ହାର

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୨୬ ଓ କେନ୍ଦୁଝରରେ ସର୍ବନିମ୍ନ ୫୩.୨୯ ପ୍ରତିଶତ

ବାରିପଦା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନ୍‌ରେ ବିଜ୍ଞାନରେ ପାସ୍‌ହାର ଚଳିତ ବର୍ଷ ତଳକୁ ଖସିଛି। ଚଳିତ ବର୍ଷ ଏହା ୭୧.୭୧ ପ୍ରତିଶତ ରହିଛି। ଗତ ଶିକ୍ଷାବର୍ଷରେ ଏହା ୭୨.୮୪ ପ୍ରତିଶତ ଥିଲା। ବାଲେଶ୍ୱର ଜିଲ୍ଲାରେ ଥିବା ୧୦୨ ମହାବିଦ୍ୟାଳୟରୁ ୬,୬୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୮୪.୨୬ ପ୍ରତିଶତ ହାରରେ ମୋଟ ୫ ହଜାର ୬୦୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ବାଲେଶ୍ୱର ଜୋନ୍‌ ସର୍ବାଧିକ ପାସ୍‌ହାର ରଖିଛି। ଏହି ଜିଲ୍ଲାରୁ ୨୭୭୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରୁ ୨,୬୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୭୫.୩୧ ପ୍ରତିଶତ ହାରରେ ୨,୦୧୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୪୯ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ପରୀକ୍ଷା ଦେଇଥିବା ୨,୯୫୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩.୨୯ ପ୍ରତିଶତ ହାରରେ ମୋଟ ୧ ହଜାର ୫୭୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ଜିଲ୍ଲାରୁ ୩୧୧ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ୫,୩୧୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୪.୪୨ ପ୍ରତିଶତ ହାରରେ ୩ ହଜାର ୪୨୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧୦୧୫ ଜଣ ସଫଳତା ଲାଭ କରିଛନ୍ତି। ଉତ୍ତର ଓଡ଼ିଶା ଜୋନରେ ମୋଟ ୨୬ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବାରୁ ସେମାନଙ୍କର ଫଳକୁ ତାଲିକାରୁ ବାଦ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଜଣେ ବାଲେଶ୍ୱର ଜିଲ୍ଲାରୁ ରହିଥିବା ବେଳେ ଭଦ୍ରକରୁ ୭, କେନ୍ଦୁଝରରୁ ୯ ଓ ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ ପରୀକ୍ଷାର୍ଥୀ ରହିଥିବାର ଉତ୍ତର ଓଡ଼ିଶା ଜୋନର ଉପସଚିବ ଜୟଦେବ ପ୍ରମାଣିକ ସୂଚନା ଦେଇଛନ୍ତି।

ପଦାର୍ଥବିଜ୍ଞାନରେ ପ୍ରାଧ୍ୟାପକ ହେବି: ଆଶିଷ କୁମାର ମହାନ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଚଳିତ ବର୍ଷ ଏମ୍ପିସି ହାଇୟର୍‌ ସେକେଣ୍ଡାରୀ ସ୍କୁଲରୁ ଆଶିଷ କୁମାର ମହାନ୍ତ ୯୦ ପ୍ରତିଶତରୁ ଊର୍ଧ୍ଵ ମାର୍କ ରଖି ସଫଳତା ପାଇଛନ୍ତି। ଜିଲ୍ଲାରୁ ଜଣେ ମାତ୍ର ଛାତ୍ର ଭାବେ ୫୪୪ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆଶିଷ ଭବିଷ୍ୟତରେ ପଦାର୍ଥ ବିଜ୍ଞାନରେ ପ୍ରାଧ୍ୟାପକ ହେବାର ଲକ୍ଷ୍ୟ ରଖିଛନ୍ତି। ଚନ୍ଦ୍ରକାନ୍ତି ଏବଂ ଦୀପକ କୁମାର ମହାନ୍ତଙ୍କର ଏକମାତ୍ର ସନ୍ତାନ ଆଶିଷ ଦିନକୁ ପ୍ରାୟ ୧୦ ଘଣ୍ଟା ପଢ଼ାପଢ଼ି କରୁଥିଲେ। ତାଙ୍କର ଏହି ସଫଳତା ନିମନ୍ତେ ସେ ପିତାମାତା, ଦିଗନ୍ତ ବିକାଶ କୋଚିଂ ସେଣ୍ଟର୍‌ ଏବଂ ଏମ୍ପିସି ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧିତ ଖବର