ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି

ଭୁବନେଶ୍ବର : ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଏପର୍ଯ୍ୟନ୍ତ ବିକଳ୍ପ ମୂଲ୍ୟାୟନ ଆରମ୍ଭ କରିନାହାନ୍ତି ସେମାନେ ୧୦ ଦିନ ମଧ୍ୟରେ ଏଦିଗରେ ପଦକ୍ଷେପ ନେବା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଗତ ୨୪ ତା‌ରିଖରେ କହିଛନ୍ତି। ଯାହାକୁ ନେଇ ଏବେ ଓଡ଼ିଶା ବୋର୍ଡ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବେ ତତ୍ପରତା ପ୍ରକାଶ କରିଛି। ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଆଗୁଆ ଘୋଷଣା କରିଦେଇଥିବାରୁ ଏବେ ସମସ୍ୟା ଦେଖାଦେଇଛି। ଜୁଲାଇ ୩୧ ସୁଦ୍ଧା କିଭଳି ପରୀକ୍ଷା ଫଳ ପ୍ରକାଶ କରାଯିବ ସେନେଇ ପରିଷଦର ବରିଷ୍ଠ ଅଧିକାରୀମାନଙ୍କ ଘନଘନ ବୈଠକ ଡକାଯାଇ ମାନସମନ୍ଥନ ଚାଲିଛି। ଯେକୌଣସି ପ୍ରକାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶକୁ ପାଳନ କରି ନିର୍ଦ୍ଧାରିତ ସମୟ ଭିତରେ ଫଳ ପ୍ରକାଶ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଷଦକୁ ନିର୍ଦେଶ ଦିଆଯାଇଛି।

ଜୁଲାଇ ୭ ସୁଦ୍ଧା ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଥିବା ବେଳେ ଶୁକ୍ରବାରଠାରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିବା ଆରମ୍ଭ ‌କରିଦେଇଛନ୍ତି। ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଛାତ୍ରଛାତ୍ରୀ କଲେଜରେ ପ୍ରାକ୍ଟିକାଲ ରିପୋର୍ଟ ‌ଦାଖଲ କରିପାରି ନାହାନ୍ତି। ସୋମବାରଠାରୁ କଲେଗୁଡ଼ିକରେ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ତିନୋଟି ବ୍ୟାଚ୍ ପରୀକ୍ଷାର୍ଥୀଙ୍କ ପାଇଁ କଲେଜ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ। ପ୍ରତ୍ୟେକ ବ୍ୟାଚ୍ ପାଇଁ ସମୟ ଅବଧି ଦୁଇ ଘଣ୍ଟା ହେବ ଏବଂ ସର୍ବାଧିକ ୪୦ ଜଣ ପରୀକ୍ଷାର୍ଥୀଙ୍କୁ ଗୋଟିଏ ବ୍ୟାଚରେ ରଖାଯିବ। କରୋନାକୁ ନଜରରେ ରଖି କଲେଜ କର୍ମଚାରୀ ଓ ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥା ହେବ। ଭିଡ଼କୁ ଏଡାଇବା ପାଇଁ ରାଜ୍ୟର ପ୍ରମୁଖ କଲେଜରେ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ। ପ୍ରତ୍ୟେକ ବିଷୟ ପାଇଁ ଭିନ୍ନ ଭିନ୍ନ କାଉଣ୍ଟର ରହିବ। କ୍ୟାମ୍ପସରେ କୋଭିଡ୍‌ ଗାଇଡଲାଇନର ତଦାରଖ ଲାଗି କଲେଜଗୁଡ଼ିକରେ ଇତି ମଧ୍ୟ‌ରେ ସ୍କ୍ବାଡ୍‌ ଗଠନ ହୋଇଛି। ପ୍ରାକ୍ଟିକାଲ ରିପୋର୍ଟ ଦାଖଲ କରିବା କ୍ଷଣି ପରୀକ୍ଷାର୍ଥୀ ଯେପରି କ୍ୟାମ୍ପସ ଛାଡ଼ିବେ ସେଦିଗରେ ସ୍କ୍ବାଡ୍‌ର ସଦସ୍ୟମାନେ ପ୍ରାଥମିକତା ‌ଦେବେ। କ୍ୟାମ୍ପସ ଭିତରେ ଯେପରି ପିଲାଙ୍କ ଖଟି ନ ହେବ ‌ତାହା ଉପରେ ନଜର ରଖିବାକୁ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀଙ୍କ ଥିଓରି ମାର୍କ ପ୍ରସ୍ତୁତିରେ ଲାଗିପଡ଼ିଛି ପରିଷଦ। ହାତରେ ଆଉ ମାତ୍ର ଗୋଟିଏ ମାସ ରହିଥିବାରୁ ଯେତେଶୀଘ୍ର ସମ୍ଭବ ଛାତ୍ରଛାତ୍ରୀଙ୍କ ଦଶମ ମାର୍କ ତାଲିକା ପ୍ରସ୍ତୁତ କରିବା ସହ ହାରାହାରି ମାର୍କ ଆଧାରରେ ରିପୋର୍ଟ ପ୍ରସ୍ତୁତ ଚାଲିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତ ଉପରେ ଆମେ ସବୁବେଳେ ଗୁରୁତ୍ବ ଦେଇ ଆସିଛୁ। ସେହି ଅନୁଯାୟୀ ସିବିଏସ୍‌ଇ ଦଶମ ରେଜଲ୍ଟ ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ କହିବା ପରେ ପ୍ରସ୍ତୁତିକୁ ଅଧିକ ତ୍ବରାନ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର