ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରି ଫଳ ହୋଇ ନ ଥିଲେ ମଧ୍ୟ ପୂର୍ବବର୍ଷଗୁଡ଼ିକ ତୁଳନାରେ ଭଲ ଫଳ ହୋଇଛି। କଳାରେ ୮୨.୧୦% ଓ ଧନ୍ଦାମୂଳକରେ ୭୦.୩୫% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରିଷଦ ଇତିହାସରେ କେବେ ବି ଏହି ଦୁଇ ବିଭାଗରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଏଭଳି ସଫଳତା ପାଇ ନ ଥିଲେ। କେବଳ ସେତିକି ନୁହେଁ, ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। କଳାରେ ପ୍ରଥମଥର ଲାଗି ଶତାଧିକ ପରୀକ୍ଷାର୍ଥୀ ଅର୍ଥାତ୍ ୧୭୭ଜଣ ଓ ଧନ୍ଦାମୂଳକ ବିଭାଗରେ ୮ ଜଣ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। କଳାରେ ଖୋର୍ଧା ଜିଲ୍ଲାର ପାସ୍ହାର ସର୍ବାଧିକ ୮୭.୮୦% ଓ ଧନ୍ଦାମୂଳକ ବିଭାଗରେ ବାଲେଶ୍ବର ଜିଲ୍ଲାର ପାସ୍ହାର ସର୍ବାଧିକ ୯୩.୮୯% ହୋଇଛି। ଏଥିରେ ବି ଛାତ୍ରମାନଙ୍କୁ ବହୁପଛରେ ପକାଇ ଛାତ୍ରୀମାନେ ବାଜିମାତ୍ କରିଛନ୍ତି।
କଳା ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ୨ ଲକ୍ଷ ୮ ହଜାର ୬୩୧ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୨୮୮ଜଣ ପାସ୍ କରିଛନ୍ତି। ରେଗୁଲାରରେ ପରୀକ୍ଷା ଦେଇଥିବା ୧ ଲକ୍ଷ ୯୫ ହଜାର ୮୩୮ ଜଣଙ୍କ ମଧ୍ୟରୁ ୧ ଲକ୍ଷ ୬୬ ହଜାର ୯୦୪ଜଣ ପାସ୍ କରିଛନ୍ତି। ଏକ୍ସ-ରେଗୁଲାରରେ ୧୦ ହଜାର ୪୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୬୨ ହଜାର ୭୩୪, ଦ୍ବିତୀୟ ଶ୍ରେଣୀରେ ୪୧ ହଜାର ୧୯୩ ଓ ତୃତୀୟ ଶ୍ରେଣୀରେ ୬୭ ହଜାର ୩୪୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୦ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲ ଦେବା ଲାଗି ରହିଛନ୍ତି। ଏହି ବିଭାଗରେ ପରୀକ୍ଷା ଦେଇଥିବା ୯୦ ହଜାର ୨୦୭ ଛାତ୍ରଙ୍କ ମଧ୍ୟରୁ ୬୭ ହଜାର ୭୨୮ଜଣ ପାସ୍ କରିଛନ୍ତି, ପାସ୍ହାର ୭୫.୦୮% ହୋଇଛି। ସେହିପରି ୧ ଲକ୍ଷ ୧୮ ହଜାର ୪୨୪ ଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୩ ହଜାର ୫୬୦ ଜଣ ପାସ୍ କରିଛନ୍ତି, ପାସ୍ହାର ୮୭.୪୫% ରହିଛି। ୨୮ଟି କଲେଜର ପାସ୍ହାର ଶତପ୍ରତିଶତ ହୋଇଛି। କୌଣସି ବି କଲେଜରେ ‘ଜିରୋ’ ରେଜଲ୍ଟ ହୋଇନାହିଁ। ରେଗୁଲାରରେ ୪ ଓ ଏକ୍ସ-ରେଗୁଲାରରେ ୧୪ ଜଣ ପରୀକ୍ଷାର୍ଥୀଙ୍କ ଫଳକୁ ସ୍ଥଗିତ ରଖାଯାଇଛି। ନବରଙ୍ଗପୁର ଜିଲ୍ଲାର ପାସ୍ହାର ସର୍ବନିମ୍ନ ୬୪.୧୬% ହୋଇଛି।
/sambad/media/post_attachments/wp-content/uploads/2022/03/examsp15f.jpg)
ଧନ୍ଦାମୂଳକ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୫ ହଜାର ୬୭୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ହଜାର ୯୯୧ଜଣ ପାସ୍ କରିଛନ୍ତି। ରେଗୁଲାରରେ ପରୀକ୍ଷା ଦେଇଥିବା ୫,୨୬୨ ଜଣଙ୍କ ମଧ୍ୟରୁ ୩,୯୨୬ଜଣ ପାସ୍ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୪୧୧ ଜଣଙ୍କ ମଧ୍ୟରୁ ୬୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୫୪୮ଜଣ ପ୍ରଥମ, ୧୮୮୯ଜଣ ଦ୍ବିତୀୟ ଓ ୫୩୮ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲରେ ରହିଛନ୍ତି। ପରୀକ୍ଷା ଦେଇଥିବା ୨୬୮୮ଜଣ ଛାତ୍ରୀଙ୍କ ମଧ୍ୟରୁ ୨୦୦୯ ଏବଂ ୨୯୮୫ ଛାତ୍ରଙ୍କ ମଧ୍ୟରୁ ୧୯୮୨ଜଣ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ହାର ୭୪.୭୩% ଓ ଛାତ୍ରଙ୍କର ୬୬.୩୯% ହୋଇଛି। କଳାହାଣ୍ଡି ଜିଲ୍ଲାର ପାସ୍ହାର ସର୍ବନିମ୍ନ ୩୭.୨୯% ରହିଛି। ରେଗୁଲାରରେ ୧୩ ଓ ଏକ୍ସ-ରେଗୁଲାରରେ ୪ ଜଣ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରଖାଯାଇଛି।
କୋଭିଡ୍ ଜନିତ ସମସ୍ୟାକୁ ହୃଦୟଙ୍ଗମ କରି ନିୟମିତ ପରୀକ୍ଷାର୍ଥୀଙ୍କୁ ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରଥମ ବିକଳ୍ପ ଭାବେ ଯୁକ୍ତ୨ ବାର୍ଷିକ ପରୀକ୍ଷାରେ ରଖିଥିବା ନମ୍ବର ଓ ଦ୍ବିତୀୟ ବିକଳ୍ପ ଭାବେ ପରିଚାଳିତ ପରୀକ୍ଷା ଭିତ୍ତିରେ ପ୍ରତ୍ୟେକ ବିଷୟର ୮୦% ନମ୍ବର ଓ ସ୍କୁଲ ପରିଚାଳିତ କ୍ବାଟର ଏଣ୍ଡ୍ ପରୀକ୍ଷାର ୨୦% ଭିତ୍ତିରେ ମୂଲ୍ୟାୟନ ହୋଇଛି। ଉକ୍ତ ଦୁଇଟି ବିକଳ୍ପ ମଧ୍ୟରୁ ପରୀକ୍ଷାର୍ଥୀ ପାଇଥିବା ଅଧିକ ନମ୍ବର ଭିତ୍ତିରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଅପରାହ୍ନ ୪ଟାରେ ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ପରେ ଅପରାହ୍ନ ୫ଟାରୁ ପରୀକ୍ଷାର୍ଥୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିଥିଲେ। ମାର୍କସିଟ୍ ମଧ୍ୟ ଡାଉନ୍ଲୋଡ୍ କରିଥିଲେ। ଏଥିସହ କଲେଜର ଇ-ସ୍ପେସ୍ରେ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଫଳ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରିଷଦ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ୦୬୭୪-୨୩୦୧୦୯୮ ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ପରୀକ୍ଷାର୍ଥୀ ଆବଶ୍ୟକୀୟ ସୂଚନା ପାଇପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପରୀକ୍ଷାଫଳ ଉନ୍ମୋଚନ ଉତ୍ସବରେ ପରିଷଦ ଓଏସ୍ଡି ତୁଷାରକାନ୍ତି ତ୍ରିପାଠୀ, ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଏସ୍ସିଇଆରଟି ନିର୍ଦେଶକ ରଘୁରାମ ଆୟାର, ପରିଷଦ ସଚିବ ଚିନ୍ମୟୀ କହଁର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।