ବୁଧବାର ଦିନ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ, ଏହି ୱେବ୍‌ସାଇଟ୍‌ରୁ ଶିକ୍ଷାର୍ଥୀ ଜାଣିପାରିବେ ରେଜଲ୍ଟ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ବୁଧବାର (୨୦୨୩ ମେ ୩୧) ଦିନ ୧୧ଟାରେ ପ୍ରକାଶ ପାଇବ।  ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଆଶ୍ୱିନ କୁମାର ମିଶ୍ର ମଙ୍ଗଳବାର ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଶିକ୍ଷାର୍ଥୀମାନେ www.odisharesults.nic.inରେ ରେଜଲ୍ଟ ପାଇପାରିବେ। ସେହିପରି ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ମଧ୍ୟ ଫଳ ଉପଲବ୍ଧ ହେବ। ଜୁନ ୮ ସୁଦ୍ଧା ପ୍ରକାଶ କଳା ବିଭାଗର ପରୀକ୍ଷା ଫଳ ପକାଶ ପାଇବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଗତ ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋ‌ଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍‌ଲାଇନ୍‌ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍‌ଲାଇନ୍‌ରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ୍‌ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ଲାଗି ୬୫ଟି କେନ୍ଦ୍ର ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ଖାତା ଦେଖା ହୋଇଥିଲା। ତାପରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା।

ଚଳିତ ବର୍ଷ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ପୂର୍ବରୁ ସୂଚନା ରହିଛି। ଏଥିରେ କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୩୩ହଜାର ୮୫୫ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪, ବାଣିଜ୍ୟରେ ୨୪ହଜାର ୩୩୧ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୮୬୨ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାରରେ ୩ଲକ୍ଷ ୩୮ ହଜାର ୨୨୧ଜଣ, ଏକ୍ସ-ରେଗୁଲାରରେ ୧୭ ହଜାର ୬୯୬ ଓ ଦୂର ନିରନ୍ତରରେ ୨୦୨୫ଜଣ ପରୀକ୍ଷାର୍ଥୀ ଅଛନ୍ତି।

 

 

ସମ୍ବନ୍ଧିତ ଖବର